
ମାଲକାନଗିରି ଜିଲ୍ଲାରେ ପାଖାପାଖି ୧୩ ଗୋଟି ପ୍ରାଚୀନ ଜନଜାତି ବସବାସ କରନ୍ତି। ସେଥି ମଧ୍ୟରୁ ଡିଡାଇ ସମ୍ପ୍ରଦାୟ ଅନ୍ୟତମ। ରାଜ୍ୟ ସରକାର ବିଭିନ୍ନ ସ୍କୁଲରେ ଆଞ୍ଚଳିକ ଭାଷାଭିତ୍ତିକ ଶିକ୍ଷକ ନିଯୁକ୍ତି କରିଥାନ୍ତି।ଓଡିଆ ଭାଷାକୁ ସବୁ ପ୍ରାଚୀନ ଜନଜାତିର ଛାତ୍ରଛାତ୍ରୀ ମାନେ ସହଜରେ ବୁଝି ପାରନ୍ତି ନାହିଁ।ଏଣୁ ଭାଷା ଶିକ୍ଷକ ନିଯୁକ୍ତିରେ ଅନେକ ଛାତ୍ରଛାତ୍ରୀ ନିଜ ମାତୃଭାଷାରେ ଶିକ୍ଷା ଲାଭ କରିବାରେ ସକ୍ଷମ ହୁଅନ୍ତି। ଅଗଷ୍ଟ ୩୧ ତାରିଖରେ ଜିଲ୍ଲାରେ ଭାଷାଭିତ୍ତିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ହେଲେ ଏହି ତାଲିକାରୁ ଡିଡାଇ ସମ୍ପ୍ରଦାୟକୁ ସମ୍ପୂର୍ଣ୍ଣ ରୂପେ ବାଦ ଦିଆଯାଇଛି ବୋଲି ଜିଲ୍ଲା ଡିଡାଇ ସମାଜ ଅଭିଯୋଗ କରିଛି। ମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ସମସ୍ତ ଜନଜାତିର ଭାଷାଭିତ୍ତିକ ଶିକ୍ଷକ ନିଯୁକ୍ତି ପାଇବେ କିନ୍ତୁ ଏଥିରୁ ବଞ୍ଚିତ ରହିବେ ଡିଡାଇ ସମାଜର ଶିକ୍ଷିତ ଯୁବପିଢି।କୋରୁକୋଣ୍ଡା , ଖଇରପୁଟ ବ୍ଲକରେ ପ୍ରାୟ ୫୨ଟି ଗାଁରେ ଡିଡାଇ ସମୂହ ବସବାସ କରୁଥିବା ବେଳେ ସେମାନଙ୍କ ଜନ ସଂଖ୍ୟା ୧୫ ହଜାରରୁ ଉର୍ଦ୍ଧ୍ଵ ହେବ। ପାଖାପାଖି ୫ ହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଏବେ ବିଭିନ୍ନ ସ୍କୁଲରେ ଅଧ୍ୟୟନ କରୁଛନ୍ତି। ତେବେ ଏହି ୫ ହଜାର ଡିଡାଇ ଛାତ୍ରଛାତ୍ରୀ ମାନେ ଓଡ଼ିଆ ଭାଷା ସଠିକ୍ ଭାବେ ବୁଝିବାରେ ଅନେକ ସମସ୍ୟା ହେଉଛି। ଜିଲ୍ଲାର ସବୁ ଜନଜାତି ଭାଷାଭିତ୍ତିକ ଶିକ୍ଷକ ନିଯୁକ୍ତି ନିମନ୍ତେ ପଦବୀ ଦିଆ ଯାଇଥିବା ବେଳେ ଡିଡାଇ ଭାଷା ଶିକ୍ଷକ ପଦବୀକୁ ବାଦ ଦେବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ଏବଂ ପରିତାପର ବିଷୟ ବୋଲି ଡିଡାଇ ସମାଜ କହିଛି। ତେବେ ମାଲକାନଗିରି ଜିଲ୍ଲାରେ ଡିଡାଇ ଛାତ୍ରଛାତ୍ରୀ ମାନଙ୍କ ଉନ୍ନତ ଶିକ୍ଷା ପାଇଁ ଡିଡାଇ ଭାଷା ଶିକ୍ଷକ ନିଯୁକ୍ତି ଦେବାକୁ ଦାବି କରିଛି ଡିଡାଇ ସମାଜ। ସେହିପରି ୨୦୧୭ ମସିହାରୁ ଓପିଲିପି ସଂସ୍ଥା ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଠାରେ ପରିଚାଳନା ହେଉଛି। ଏହି ସଂସ୍ଥାକୁ ସ୍ବେଚ୍ଛାସେବୀ ଅନୁଷ୍ଟାନ ମାଧ୍ୟମରେ ପରିଚାଳନା କରାଯାଉଛି। ଫଳରେ ଡିତାୟୀ ସମ୍ପ୍ରଦାୟ ବସବାସ କରୁଥିବା ଅଞ୍ଚଳରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇଥିବା ଦେଖା ଯାଉନାହିଁ। ସ୍ବେଚ୍ଛାସେବୀ ସଙ୍ଗଠନ ଦ୍ବାରା ପରିଚାଳିତ ଓପିଲିପି ସଂସ୍ଥାକୁ ଉଚ୍ଛେଦ କରାଯାଉ। ଏଠାରେ କେବଳ ଡିତାୟୀ ଉନ୍ନୟନ ସଂସ୍ଥା କାର୍ଯ୍ୟ କଲେ ଅଞ୍ଚଳର ଉନ୍ନତି ହୋଇପାରିବ ବୋଲି ଡିଡାଇ ସମାଜ କହିଛି।