
ସବୁ କଳ୍ପନାଜଳ୍ପନା ପରେ ଫେରାର ବିଜେଡି ନେତ୍ରୀଙ୍କୁ ଶେଷରେ ଗିରଫ କରିଛି ପୁଲିସ। ଭି କେ ପାଣ୍ଡିଆନଙ୍କ ନାଁ ନେଇ ଚାକିରି କରାଇ ଦେବା ନାଁରେ ଏକାଧିକ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ ମାମଲାରେ ଫସିଥିବା ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ଜୋନ – ୩ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀଙ୍କୁ ଆଜି ମାଥିଲି ପୁଲିସ ଜଗତସିଂହପୁର ଜିଲ୍ଲାରୁ ଗିରଫ କରିଛି। ୩ ଦିନ ତଳେ ବିଜେଡିରୁ ବହିଷ୍କାର ହୋଇଥିଲେ ସସ୍ମିତା ମାଝି।ଜନବିରୋଧୀ କାର୍ଯ୍ୟ ଯୋଗୁ ସସ୍ମିତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। ସସ୍ମିତା ଏବଂ ତାଙ୍କ ସହଯୋଗୀ ରମେଶ ରାଉତ ପାଣ୍ଡିଆନଙ୍କ ସମ୍ପର୍କୀୟ ବୋଲି ପରିଚୟ ଦେଇ ଚାକିରି କରାଇ ଦେବା ନାଁରେ ଏକାଧିକ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ସସ୍ମିତା ମାଝୀଙ୍କ ସମେତ ୩ ଜଣ ଅଭିଯୁକ୍ତ ରହିଛନ୍ତି। ମାଷ୍ଟରମାଇଣ୍ଡ ରମେଶ ରାଉତଙ୍କୁ ପୂର୍ବରୁ ଭୁବନେଶ୍ବରରୁ ଗିରଫ କରିଥିଲା ପୁଲିସ। ରମେଶ ନିଜକୁ ଭି.କେ. ପାଣ୍ଡିଆନଙ୍କ ଶଳା କହି ଚାକିରି କରାଇ ଦେବା ନାଁରେ ଅନେକ ଲୋକଙ୍କ ଠାରୁ ସହସ୍ରାଧିକ ଟଙ୍କା ହଡ଼ପ କରିଥିଲେ। ଏଥିରେ ତାଙ୍କ ସହିତ ସସ୍ମିତା ମାଝୀ ଓ ଅନ୍ୟ ଜଣେ ସହଯୋଗୀ ସାମିଲ ଥିବା ଅଭିଯୋଗ ହୋଇଥିଲା। ଏହି ତିନି ଜଣଙ୍କ କାରନାମାର ଚେର କେନ୍ଦ୍ରାପଡ଼ାରୁ ମାଲକାନଗିରି ପର୍ଯ୍ୟନ୍ତ ଲମ୍ବିଥିବା ତଦନ୍ତରୁ ଜଣାପଡ଼ିଥିଲା।ମାଥିଲି ଥାନାରେ ସେମାନଙ୍କ ନାଁରେ ଏକାଧିକ ମାମଲା ରୁଜୁ ହୋଇଛି।