
ମାଲକାନଗିରି(କ୍ରୋନିକ ଓଡ଼ିଶା)ଗତ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ମାଲକାନଗିରି ଜିଲ୍ଲାରେ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହେବା ସହ ବହୁ ଘର ଦ୍ବାର ନଷ୍ଟ ଓ ଜମିରେ ଫସଲ ନଷ୍ଟ ହୋଇ ଯାଇଥିବା ବେଳେ ଜିଲ୍ଲାବାସୀଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିଲା। ସେତେବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହୋଦୟ ମାଲକାନଗିରି ଜିଲ୍ଲାର ବନ୍ୟା କ୍ଷୟକ୍ଷତି ପରିଦର୍ଶନରେ ଆସିଥିଲେ। ତାଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ, ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ସ୍ବତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ ସିଂହଙ୍କ ସହ ଆସି ହେଲିକେପ୍ଟରରେ ବନ୍ୟା ବିପନ୍ନ ଅଞ୍ଚଳ ବୁଲି ଦେଖିଥିଲେ। ପରେ ତିଆର୍ଡିଏ ଠାରେ ଜିଲ୍ଲାପାଳ ଓ ଜିଲ୍ଲାର ସମସ୍ତ ଅଧିକାରୀଙ୍କ ସହ ବନ୍ୟା କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ଏବଂ ସାତ ଦିନ ମଧ୍ୟରେ ତଦନ୍ତ କରି ବନ୍ୟା ଅଞ୍ଚଳର ରିପୋର୍ଟ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ। ରିପୋର୍ଟ ମିଳିବାର ସଙ୍ଗେ ସଙ୍ଗେ ସମସ୍ତ ହିତାଧୀକାରୀଙ୍କୁ କ୍ଷତିପୂରଣ ମିଳିବ ବୋଲି ପ୍ରତିଶୃତି ଦେଇ ଯାଇଥିଲେ। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହା ପୂର୍ବରୁ ମଧ୍ୟ ରାଜ୍ୟର ଉଚ୍ଚସ୍ତରୀୟ କମିଟି ରାଜ୍ୟର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠିଙ୍କ ନେତୃତ୍ବରେ ବନ୍ୟାର ସ୍ଥିତିର ଏକ ସମୀକ୍ଷା ମଧ୍ୟ କରାଯାଇଥିଲା। ଦୁଃଖ ସମୟରେ ଏଭଳି ସକାରାତ୍ମକ ପ୍ରତିଶ୍ରୁତି ପାଇ ମାଲକାନଗିରି ଜିଲ୍ଲାବାସୀ ଅତ୍ୟନ୍ତ ଖୁସି ଓ ଉତ୍ସାହିତ ଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଖୋଦ ନିଜେ ଆସି ପିଡିତଙ୍କୁ ଆଶ୍ଵାସନା ଦେବା ଲୋକଙ୍କ ମନକୁ ଛୁଇଁ ଯାଇଥିଲା।ଆମକୁ କ୍ଷତିପୂରଣ ମିଳିବ ଏବଂ ଆମର ସବୁ ଦୁଃଖ ଲାଘବ ହେବ ବୋଲି ଜିଲ୍ଲାବାସୀ ଆଶାରେ ଥିଲେ କିନ୍ତୁ ଦୁଃଖ ଓ ପରିତାପର ବିଷୟ ଆଜକୁ ଚାରିମାସ ରୁ ଉର୍ଦ୍ଧ୍ବ ସମୟ ଅତିବାହିତ ହୋଇ ଯାଇଥିଲେ ସୁଦ୍ଧା ଜିଲ୍ଲାର ଗରିବ ଅସହାୟ ଲୋକଙ୍କ ପାଖରେ କ୍ଷୟକ୍ଷତି ତ ଦୂରର କଥା ଏପର୍ଯ୍ୟନ୍ତ ଟଙ୍କାଟିଏ ମଧ୍ୟ ପହଞ୍ଚି ପାରିନାହିଁ। ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଣିର ଗାର ସଦୃଶ ହୋଇଥିବା ବେଳେ ଜିଲ୍ଲାବାସୀଙ୍କ ଆଶା ଆଶାରେ ହିଁ ରହିଗଲା। ଜିଲ୍ଲାବାସୀ କେତେ ଆଶା ନେଇ ଡବଲ ଇଞ୍ଜିନ ସରକାରଙ୍କୁ ଭୋଟ ଦେଇଥିଲେ। ବରଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ମାନସ ମାଡକାମିଙ୍କ ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ବ୍ଳକର ଚେୟାରମ୍ୟାନ ସହ ବହୁ ବରିଷ୍ଠ ଜିଲ୍ଲା ଓ ବ୍ଲକର କର୍ମକର୍ତ୍ତା ବନ୍ୟା କ୍ଷତିଗ୍ରସ୍ତ ଗାଁ ବୁଲି କିଛି ସୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ହେଲେ ସରକାରଙ୍କ ଠାରୁ ଏପର୍ଯ୍ୟନ୍ତ ମୁଠାଏ ଖୁଦ ମଧ୍ୟ ମିଳିନାହିଁ ଆଉ ଏପରି ସ୍ଥଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଲକାନଗିରି ମାଲ୍ୟବନ୍ତ ମହୋତ୍ସବ ଉଦ୍ଘାଟନୀ ଉତ୍ସବରେ ଆସି ଯୋଗଦେବା ପାଇଁ ସହମତି ଦେଇଛନ୍ତି ବୋଲି ଶୁଣିବାକୁ ମିଳୁଛି। ହେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ କେଉଁ ମୁହଁ ନେଇ ମାଲକାନଗିରି ଆସିବେ। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜଣେ ଆଦିବାସୀ କୂଳର ହୋଇଥିବାରୁ ମାଲକାନଗିରି ଜିଲ୍ଲାର ଆଦିବାସୀ ଭାଇଭଉଣୀଙ୍କ ଦୁଃଖ ଦୂର ହେବ ବୋଲି ଭାବିଥିଲେ କିନ୍ତୁ ଜିଲ୍ଲାବାସୀ ଆଜି ପର୍ଯ୍ୟନ୍ତ ବନ୍ୟା କ୍ଷତିପୂରଣରୁ ବଞ୍ଚିତ ହୋଇଥିବା ବେଳେ ମାଲ୍ୟବନ୍ତ ମହୋତ୍ସବରେ ଆସିଲେ ତାଙ୍କ ଠାରୁ କଣ ଆଶା କରାଯାଇପାରେ ବୋଲି ଜିଲ୍ଲା ବିଜେଡି ସଭାପତି ମାନସ ମାଡକାମି ଗଣମାଧ୍ୟମ ଦ୍ବାରା ପ୍ରଶ୍ନ କରିଛନ୍ତି।ଏହା ସହିତ ପୋଲାଭରମ୍ ପ୍ରକଳ୍ପକୁ ୨୦୧୪ ମସିହାରେ କେନ୍ଦ୍ରର ଭାଜପା ସରକାର ଜାତୀୟ ପ୍ରକଳ୍ପ ଭାବେ ମାନ୍ୟତା ଦେଇ ଅଧିକ ଅନୁଦାନ ଦେଇଥିଲେ। ଯାହା ଦ୍ବାରା ମାଲକାନଗିରି ଜିଲ୍ଲା ଏବଂ ରାଜ୍ୟବାସୀଙ୍କୁ ଅଣଦେଖା ଓ ଘୋର ଅବହେଳା ହୋଇଛି। ସେତେବେଳେ ରାଜ୍ୟରେ ବିଜୁ ଜନତା ଦଳ ସରକାର ଥିଲା କିନ୍ତୁ ବର୍ତ୍ତମାନ ତ ଡବଲ ଇଞ୍ଜିନ ସରକାର ଓ ଆନ୍ଧ୍ରପ୍ରଦେଶର ଭାଗୁଆଳି ସରକାର ରହିଛି। ଏବେତ ଓଡିଶା ବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ପୋଲାଭରମ ବନ୍ଦ କରାଯାଉ,ପୋଲାଭରମ ପ୍ରକଳ୍ପ ହେଲେ କେତେ ଆଦିମ ଜନଜାତି ଆଦିବାସୀ ନିଜର ଭିଟାମାଟି ଓ ଜଙ୍ଗଲ ଜମି ହରାଇବା ସହ କେତେ ରାଜସ୍ବ ଜମି ଓ ଗ୍ରାମ ହରାଇବେ ଏହାର ଆକଳନ କଲେ ଏହି ପ୍ରକଳ୍ପ ଦ୍ବାରା ଓଡିଶାକୁ ଟଙ୍କାଟିଏ ମଧ୍ୟ ଲାଭ ହେବନାହିଁ।ସେହିଭଳି ରାଜ୍ୟ ସରକାର ନିର୍ବାଚନ ସମୟରେ ଧାନକୁ ୩୧୦୦ ଟଙ୍କାରେ କିଣିବା ପାଇଁ ଘୋଷଣା କରିଥିଲେ, ଯାହାକି ଓଡିଶା ସରକାର ଧାର୍ଯ୍ୟ ମୂଲ୍ୟ ପରେ ୮୦୦ ଟଙ୍କା ବୋନସ ଦେବେ, ଆଉ ସମସ୍ତ ଜିଲ୍ଲାରେ ଧାନ ମଣ୍ଡି ମାଧ୍ୟମରେ ଲୋକଙ୍କ ସମସ୍ତ ଧାନ କିଣାଯିବ କିନ୍ତୁ ବିଡମ୍ବନାର ବିଷୟ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ମଣ୍ଡି ଖୋଲା ଯାଇନାହିଁ । ଦଶହରା ପୂର୍ବରୁ ଚାଷୀ ଧାନ ମଳି ବିକିବା ପାଇଁ ବସ୍ତାରେ ଭର୍ତ୍ତି କରି ଅପେକ୍ଷାରେ ରହିଛନ୍ତି । ଏପଟେ ପ୍ରଶାସନ ମଣ୍ଡି ଆରମ୍ଭ କରିନାହିଁ, ଲୋକମାନେ ବାଧ୍ୟ ହୋଇ କଳାବେପାରୀଙ୍କୁ ମୂଳ ଧାର୍ଯ୍ୟ ମୂଲ୍ୟ ଠାରୁ ଢେର କମ୍ ଦରରେ ଧାନ ବିକୁଛନ୍ତି, ହେଲେ ଚାଷୀ ପାଇଲେ କଣ? ବୋନସ କାହା ସ୍ବାର୍ଥ ପାଇଁ? ସରକାର ପ୍ରଚାର ପ୍ରସାରରେ ସୀମିତ ନ ରହି ଲୋକଙ୍କ ପାଖରେ ପହଞ୍ଚିବା ଦରକାର।ମାନ୍ୟବର ମୁଖ୍ୟମନ୍ତ୍ରୀ କହିବେକି ଗରିବ ଚାଷୀ ଧାନ ଅମଳ ପରେ ବୋନସ ଟଙ୍କା ପାଇବା ପାଇଁ ଧାନ ନ ବିକ୍ରି କରି କେତେ ଦିନ ଅପେକ୍ଷା କରିବେ।ଗରିବ ଆଦିବାସୀଙ୍କ ପାଖରେ ଧାନକୁ ସାଇତି ରଖିବା ପାଇଁ ନା ସମ୍ବଳ ଅଛି ନା ବର୍ଷା ପବନ, ମୁଷା ଓ ଚୋରି ଭଳି ବିଭିନ୍ନ ଦାଉରୁ ବଞ୍ଚାଇବା ପାଇଁ ସାଧନ କିମ୍ବା ବ୍ୟବସ୍ଥା ଅଛି। ହନ୍ତସନ୍ତ ହୋଇ ଚାହିଁ ରହିଛନ୍ତି ଜିଲ୍ଲାର ଚାଷୀ।ହେଲେ ସରକାର କାହା ସ୍ବାର୍ଥରେ କାମ କରୁଛନ୍ତି.? ବୋଲି ଜିଲ୍ଲା ବିଜେଡି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଯାଇଛି।