
ମାଲକାନଗିରି(କ୍ରୋନିକ ଓଡ଼ିଶା)ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ସବୁଠି ଆନନ୍ଦ ଉଲ୍ଲାସରେ ପୂଣ୍ୟର ଡଙ୍ଗା ଭସାଇବାକୁ ବିଭିନ୍ନ ଜଳାଶୟରେ ଭିଡ଼ ଲାଗି ରହିଥିବା ବେଳେ ଜଣେ ନାବାଳିକାର ମୃତ୍ୟୁର ଖବର ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି। ମାଲକାନଗିଗିରି ଜିଲ୍ଲା ସଦର ଚମ୍ପାନଗର ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। କୁମାରୀ ହନ୍ତାଳଙ୍କ ଝିଅ ସାବିତ୍ରୀ ହନ୍ତାଳ ଭାସୁଥିବା ଡଙ୍ଗାରୁ ଟଙ୍କା ସଂଗ୍ରହ କରିବାକୁ ଯାଇ ପୋଖରୀରେ ବୁଡ଼ିଗଲେ ନାବାଳିକା। ମୃତ ନାବାଳିକା ସାବିତ୍ରୀଙ୍କ ବୟସ ପ୍ରାୟ ୧୨ ବର୍ଷ ହେବ ବୋଲି ଜଣାଯାଇଛି। ପୂର୍ବରୁ ତାଙ୍କ ପିତା ତିରୁପତି ହନ୍ତାଳଙ୍କ ମୃତ୍ୟୁ ହୋଇଥିଲା।ଖବର ଅନୁସାରେ ସକାଳ ପ୍ରାୟ ୬ଟା ବେଳେ ବାଳିକା ଜଣକ ନିଜର କିଛି ସାଙ୍ଗଙ୍କ ସହ ନିକଟସ୍ଥ ପୋଖରୀକୁ ଡଙ୍ଗା ଭସା ଦେଖିବାକୁ ଯାଇଥିଲେ।ଭାସୁଥିବା ଡଙ୍ଗାରେ ଥିବା କଏନ ଦେଖି ଛୋଟ ଛୋଟ ପିଲାଙ୍କ ମନରେ ଲୋଭ ସୃଷ୍ଟି ହେଲା। ପିଲାମାନେ ପୋଖରୀରେ ପଶି ଟଙ୍କା ସଂଗ୍ରହ କରିବାକୁ ଲାଗି ପଡିଲେ। ଡ଼ଙ୍ଗାରୁ ଟଙ୍କା ସଂଗ୍ରହ କରୁଥିବା ସମୟରେ ଆଖପାଖରେ କେହି ବୟସ୍କ ବ୍ୟକ୍ତି ଉପସ୍ଥିତ ନଥିଲେ। ଫଳରେ ଅନ୍ୟମାନଙ୍କ ସହ ନାବାଳିକା ଜଣକ କଏନ ସଂଗ୍ରହ କରିବାକୁ ପାଣିରେ ପଶିଗଲେ। ମାତ୍ର ଗୋଡ଼ ଖସିଯିବାରୁ ଗଭୀର ପାଣି ଭିତରକୁ ଚାଲି ଯାଇଥିଲେ। ବାରମ୍ବାର ଚେଷ୍ଟା କରି ମଧ୍ୟ ସେ ଆଉ ବାହାରକୁ ବାହାରି ପାରିନଥିଲେ। ଏହା ଦେଖୀ ଅନ୍ୟ ପିଲାମାନେ ଭୟଭୀତ ହୋଇ ନିଜ ନିଜ ଘରକୁ ପଳାଇଥିଲେ। ନାବାଳିକାର ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। କିଛି ସମୟ ପରେ ନିକଟରେ ଥିବା ପୋଖରୀରେ ପଡିଯାଇଥିବା ଖବର ପାଇ ଅଗ୍ନିଶମ କର୍ମଚାରୀଙ୍କୁ ଡକାଇ ନିକଟସ୍ଥ ପୋଖରୀରୁ ନାବାଳିକାଙ୍କୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ଏହି ଖବର ପ୍ରଘଟ ହେବା ପରେ ସମଗ୍ର ଚମ୍ପାନଗରରେ ଶୋକର ଛାୟା ଖେଳିଯାଇଛି।