
ମାଲକାନଗିରି(କ୍ରୋନିକ ଓଡ଼ିଶା)ସରପଞ୍ଚଙ୍କ ପତ୍ନୀ ଜମିରେ ଧାନ କାଟୁଥିଲା ବେଳେ ସାପ କାମୁଡର ଶିକାର ହୋଇଥିଲେ ଚିକିତ୍ସା ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି। ସରପଞ୍ଚଙ୍କ ପତ୍ନୀ ହେଲେ ସଚି କାରାମ (୪୦) ପଡିଆ ସଦର ପଞ୍ଚାୟତର ସରପଞ୍ଚ ଗଙ୍ଗା କାରାମଙ୍କ ପତ୍ନୀ ସଚି କାରାମ। ଘଟଣାରୁ ଜଣା ଯାଇଛି ପଡୋଶୀ ରାଜ୍ୟ ଛତିଶଗଡର ସୁକୁମା ଜିଲ୍ଲା ଦୋର୍ଣ୍ଣାପାଲ ଗ୍ରାମରେ କିଛି ଜମିରେ ଧାନ ଚାଷ କରିଥିଲେ। ସରପଞ୍ଚଙ୍କ ପତ୍ନୀ ଗତ କାଲି ସକାଳେ କିଛି ମହିଳାଙ୍କୁ ନେଇ ସେହି ଜମିରେ ଧାନ କାଟିବା ବେଳେ ହଠାତ ଏକ ବିଷାକ୍ତ ସାପ ଗଙ୍ଗାଙ୍କ ପତ୍ନୀ ସଚିଙ୍କୁ କାମୁଡି ଦେଇଥିଲା।ଖବର ପାଇ ସରପଞ୍ଚ ଗଙ୍ଗା ଘଟଣା ସ୍ଥଳେ ପହଞ୍ଚି ପତ୍ନୀଙ୍କୁ ସୁକୁମା ଜିଲ୍ଲା ସଦର ମହକୁମା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିଲା।ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି ଡାକ୍ତରଖାନା କତ୍ତୃପକ୍ଷ କହିଥିଲେ।ସୁକୁମା ଜିଲ୍ଲା ପୋଲିସ ଖବର ପାଇ ଅପମୃତ୍ୟୁ ମାମଲା ରୁଜ୍ଜୁ କରିବା ସହ ଶବ ବ୍ୟବଛେଦ ପରେ ପରିବାରଙ୍କୁ ମୃତ ଶରୀର ହସ୍ତାନ୍ତର କରିଛି। ପତ୍ନୀଙ୍କ ମୃତ୍ୟୁରେ ସରପଞ୍ଚ ଏବଂ ତାଙ୍କର ଦୁଇ ସନ୍ତାନ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ମୃତ୍ୟୁ ଖବର ମିଳିବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି। ସଚିଙ୍କ ମୃତ୍ୟୁ ଖବର ପାଇ ମାଲକାନଗିରି ଜିଲ୍ଲା ପୂର୍ବତନ ବିଧାୟକ ମାନସ ମାଡକାମୀ,ବିଜୁ ଜନତା ଦଳ ପୂର୍ବତନ ଆଦିବାସୀ ଉନ୍ନୟନ ପରିଷଦ ଅଧକ୍ଷ ଆଡ଼ମା ରାୱା, ଛତିଶଗଢ଼ ରାଜ୍ୟ ବିଜେପି ସଭାପତି ସାନୁ କରସା, ପଡିଆ ବିଜୁ ଜନତା ଦଳ ସଭାପତି ଏମଡି ଫାରୁକ,ମାଟେରୁ ସରପଞ୍ଚ ଲକ୍ଷ୍ମଣ ମାଡକାମୀ, କାଲଦାପଲ୍ଲୀ ସରପଞ୍ଚ ସରିତା କୁଞ୍ଜ, ଶିମିଳି ବାଞ୍ଛା ସରପଞ୍ଚ ସିଙ୍ଗା ମାଡକାମୀ, ଉଣ୍ଡୁରୁକୋଣ୍ଡା ସରପଞ୍ଚ କାନନ ବେକ, ବାପନପଲ୍ଲୀ ସରପଞ୍ଚ ମେଡ଼ା ବାଗ, କାଲିମେଳା କୋଇମେଟଲା ପଞ୍ଚାୟତ ସରପଞ୍ଚ ମୁନା ପଡିଆମୀ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ମାନେ ସରପଞ୍ଚ ଗଙ୍ଗାଙ୍କ ବାସସ୍ଥଳୀରେ ପହଞ୍ଚି ସମବେଦନା ଦେବା ଶହ ଫୁଲ ହାର ଚଢାଇ ସଚିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାଥନା କରିଥିଲେ।