
ମାଥିଲି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ମାଥିଲିରେ ଡାଇରିଆ ତଥା ଝାଡା ବାନ୍ତିରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଏହି ରୋଗରେ ପୀଡିତ ଅଛନ୍ତି। ତେବେ ମାଥିଲି ବ୍ଲକର ବିଭିନ୍ନ ଦୁର୍ଗମ ଗ୍ରାମରେ ଏହି ରୋଗ ନିଜର କାୟା ବିସ୍ତାର କରିଥିବା ବେଳେ ଜିଲ୍ଲାର ସ୍ୱାସ୍ଥ୍ୟ ଟିମ ବହୁ କଷ୍ଟରେ ଦୁର୍ଗମ ଅଞ୍ଚଳରେ ନଦୀ ନାଳ ପାର ହୋଇ ଲୋକଙ୍କ ନିକଟରେ ପହଞ୍ଚି ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି। ଜୀବନକୁ ବାଜି ଲଗାଇ ସ୍ୱାସ୍ଥ୍ୟ ଟିମ ଦୁର୍ଗମ ଗ୍ରାମରେ ସ୍ୱାସ୍ଥ୍ୟ ସେବା ଯୋଗଉଥିବା ସତ୍ବେ ଲୋକଙ୍କ ମଧ୍ୟରେ ଏହି ରୋଗର ଭୟ ବଢିବାରେ ଲାଗିଥିବାରୁ ଲୋକେ ବର୍ତ୍ତମାନ ଗୁଣିଆ, ଦିଶାରି ଓ ପୂଜକଙ୍କ ଦ୍ଵାରା ବିଭିନ୍ନ ପୂଜାର୍ଚନା କରୁଥିବା ଦେଖିବାକୁ ମିଳିଛି। ମାଥିଲି ବ୍ଲକର ତୁଳସୀ, ଲୁଲେର ଓ ଅଟାଳଗୁଡାରେ ଏହି ରୋଗ କାୟା ବିସ୍ତାର କରିଥିବା ବେଳେ ଡାକ୍ତରୀ ଟିମ ବିଭିନ୍ନ ଗ୍ରାମରେ ପହଞ୍ଚି ଅସ୍ଥାୟୀ କ୍ୟାମ୍ପ କରି ରୋଗୀଙ୍କୁ ଚିକିତ୍ସା ଯୋଗାଇ ଆସୁଛନ୍ତି। ଅନ୍ୟପଟେ ରୋଗ ପ୍ରୋକପରୁ ମୁକ୍ତି ପାଇବା ପାଇଁ ଗାଁଗୁଡିକରେ ଜୋରସୋରରେ ଚାଲିଛି ଗ୍ରାମଦେବୀଙ୍କ ନିକଟରେ ପୂଜାର୍ଚ୍ଚନା। ସ୍ୱାସ୍ଥ୍ୟ ବିଭାଗ ଏହି ରୋଗ ଉପରେ ରୋକ ଲଗାଇବା ପାଇଁ ଜୋରସୋର ଉଦ୍ୟମ କରୁଥିବା ବେଳେ ଲୋକଙ୍କୁ ଔଷଧ ଦିଆଯାଉଛି। ତୁଳସୀ ଘାଟି ଅଂଚଳରେ ରୋଗ ନିୟନ୍ତ୍ରଣ ପାଇଁ ତିନି ଦିନ ହେବ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ୫ ଜଣିଆ ଡାକ୍ତରୀ ଟିମ ରହି ଘର ଘର ବୁଲି ଅସ୍ଥାୟୀ କ୍ୟାମ୍ପ କରି ଚିକିତ୍ସା ଯୋଗାଇ ଆସୁଥିବା ବେଳେ ଲୋକେ ଦୁଷିତ ପାଣି ଓ ଜଂଗଲ ଜାତ ଖାଦ୍ୟ ଖାଇବା ଦ୍ବାରା ଏଭଳି ସଂକ୍ରାମକ ରୋଗ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।