ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାର ଉସୁର ବ୍ଲକ ଅନ୍ତର୍ଗତ ମାରୁଡବାକା ଗାଁର ଯୋଗୀ ପୋଡିୟାମି ନାମକ ଜଣେ ମହିଳା ବିଷାକ୍ତ ପଦାର୍ଥ ଖାଇବା ଫଳରେ ସେ ଝାଡ଼ା ବାନ୍ତି ହୋଇ ଗୁରୁତର ଅସୁସ୍ଥ ହୋଇ ପଡିଥିଲେ।ମହିଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏତେ ଗୁରୁତର ହୋଇ ପଡିଥିଲା ଯେ ତାଙ୍କୁ ତୁରନ୍ତ ଚିକିତ୍ସାର ଆବଶ୍ୟକ ପଡିଥିଲା। ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କ ସ୍ୱାମୀ କୋସା ପୋଡିୟାମି ସାହାଯ୍ୟ ପାଇଁ ଗାଁ ବାସୀଙ୍କୁ ନିବେଦନ କରିଥିଲେ। ବିପଦକୁ ଖାତିର ନକରି ଗାଁର ଯୁବକମାନେ ମହିଳାଙ୍କୁ ଖଟରେ କାନ୍ଧେଇ ଉଛୁଳା ନଦୀ ପାର କରିଥିଲେ। ଯାହା ଦ୍ବାରା ଅସୁସ୍ଥ ମହିଳାଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନେବାକୁ ପ୍ରୟାସ କରିଥିଲେ। ଏକ ଦଉଡି ସାହାଯ୍ୟରେ ସେ ମହିଳାଙ୍କୁ ଏକ ଖଟରେ ନେଇ ନଦୀ ପାର କରିଥିଲେ। ଏହା ପରେ ମହିଳାଙ୍କୁ ଖଟରେ କାନ୍ଧେଇ ପ୍ରାୟ ୨୦-୨୨ କିମି ଚାଲିବା ପରେ ଗଲଗମ ପର୍ଯ୍ୟନ୍ତ ଅଣାଯାଇଥିଲା। ଗଲଗମ ଠାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିଲା।
ନକ୍ସଲ ପ୍ରଭାବିତ ଜିଲ୍ଲା ଯୋଗୁଁ ବିଜାପୁର ଜିଲ୍ଲାରେ ମୌଳିକ ସୁବିଧା ସୁଯୋଗର ଘୋର ଅଭାବ ଏକ ପ୍ରମୁଖ ସମସ୍ୟା ହୋଇ ରହିଛି। ବର୍ଷା ମାସରେ ଅନେକ ଅଞ୍ଚଳରେ ସମାନ ପରିସ୍ଥିତି ଉପୁଜିଥାଏ ଏବଂ ଚିକିତ୍ସା ପାଇଁ ଆଦିବାସୀ ସମ୍ପ୍ରଦାୟକୁ ସଂଘର୍ଷ କରିବାକୁ ପଡ଼ିଥାଏ। ଅଗଷ୍ଟ ୨୬ରେ ମଧ୍ୟ ସମାନ ମାମଲା ସାମ୍ନାକୁ ଆସିଥିଲା। କାମକାନାର ଗାଁର ଜଣେ ଗର୍ଭବତୀ ମହିଳାଙ୍କୁ ଏକ ଖଟରେ କାନ୍ଧେଇ ନଦୀ ପାର କରାଯାଇଥିଲା, ଏବଂ ଜୁଲାଇ ୨୨ରେ ଉସୁରର ନାମ୍ବି ଅଞ୍ଚଳରେ ସିଆରପିଏଫ୍ ଯବାନ ମାନେ ପ୍ଲାଷ୍ଟିକ ଡ୍ରମ୍ ସାହାଯ୍ୟରେ ପ୍ରସବ ପରେ ଶିଶୁ ଓ ମହିଳାଙ୍କୁ ନଦୀ ପାର କରିଥିଲେ।