ବୌଦ୍ଧରେ ଜଙ୍ଗଲ ଓ ଶ୍ରମ ବିଭାଗ ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ଏବଂ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଦିନିକିଆ hବୌଦ୍ଧଜିଲା ଗସ୍ତରେ ଆସି ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ବୌଦ୍ଧ ସର୍କିଟହାଉସଠାରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ମନ୍ତ୍ରୀ ଶ୍ରୀଖୁଣ୍ଟିଆଙ୍କୁ ସ୍ୱାଗତ କରାଯାଇଥିଲା । ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବୌଦ୍ଧଭଳି କୃଷି ଭିତିକ ଜିଲାରେ ସରକାରଙ୍କ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଠିକ୍ ଭାବରେ କାର୍ଯ୍ୟକାରୀ ହେଉନଥିବା ନେଇ ମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିବା ସହିତ ବିଭାଗୀୟ ଅଧିକାରୀଙ୍କୁ ଏନେଇ ତାଗିଦ କରିଥିଲେ ।

ନିର୍ମାଣ ଶ୍ରମିକ ଯୋଜନାରେ ସମସ୍ତ ଶ୍ରମିକ ଠିକ୍ ଭାବରେ ସେବା ପାଇବା ଦିଗରେ ପଦକ୍ଷେପ ନେବାକୁ ଜିଲା ଶ୍ରମ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଶୁଦ୍ଧିକ୍ରିୟା,ମୃତ୍ୟୁକାଳୀନ ସହାୟତା,ବୃତି ସହାୟତା ସମେତ ସମସ୍ତ ଯୋଜନା ଠିକ୍ ଭାବରେ ଶ୍ରମିକମାନଙ୍କ ନିକଟରେ ଯେପରି ପହଞ୍ଚିପାରିବ ସେଥିପାଇଁ ପରାମର୍ଶ ଦେଇଥିଲେ । ଜିଲାରୁ ଦାଦନ ଶ୍ରମିକ ନଯିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହିତ ଟେଣ୍ଡର କାର୍ଯ୍ୟ ଗୁଡିକରୁ ସେସ ଆଦାୟ କରିବାକୁ ପରାମର୍ଶ ଦେଇଥିଲେ । ଜିଲାରେ ବନ ବିଭାଗ ପକ୍ଷରୁ ମହୁଚାଷ, ତାଳ ଚାରା ରୋପଣ,ବାଉଁଶ ଚାଷ ଆଦିକୁ ପ୍ରୋତ୍ସାହନ ଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ମର୍ଜାକୁଦଠାରେ ନିର୍ମାଣାଧିନ ବନ ବିଭାଗ ବଙ୍ଗଳା ପାଇଁ ଅଧିକ କର୍ମଚାରୀ ଏବଂ ଅନୁଦାନ ଯୋଗାଇଦେବା, ଇକୋ ଟୁରିଜିମର ବିକାଶ ପାଇଁ ଆର୍ଥିକ ସହାୟତା ଯୋଗାଇଦେବାକୁ ବିଭାଗ ପକ୍ଷରୁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ବିଭାଗ ପକ୍ଷରୁ ଜାତୀୟ ରାଜପଥ ଓ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ କଡରେ ବୃକ୍ଷ ରୋପଣ ପାଇଁ ପଦକ୍ଷେପ ନିଆଯାଉଥିବାବେଳେ ଔଷଧୀୟ ବୃକ୍ଷ ରୋପଣକୁ ପ୍ରୋତ୍ସାହନ ଦେଲେ ଲୋକମାନେ ଆର୍ଥିକ ଭାବରେ ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀଖୁଣ୍ଟିଆ ପରାମର୍ଶ ଦେଇଥିଲେ ।

ଲୋକଙ୍କ ନିକଟକୁ ପହଞ୍ଚି ସେମାନଙ୍କ ସମସ୍ୟା ଅନୁଧ୍ୟାନ କରିବା ସହିତ ତାହାର ସମାଧାନ ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଦିଲ୍ଲିପ କୁମାର ମହାପାତ୍ର, ଜିଲାପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନିରୁଦ୍ଧ ପ୍ରଧାନ,ଉପଜିଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା,ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ,ଜିଲା ଶ୍ରମ ଅଧିକାରୀ,ସୁଶାନ୍ତ କୁମାର ପାଇକରାୟ, କେନ୍ଦୁପତ୍ର ଡିଏଫଓ ସୁଦର୍ଶନ ବାଦୀ, ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ସଂଗଠନର ଆଞ୍ଚଳିକ ଅଧିକାରୀ ଏବଂ ସମସ୍ତ ସହକାରୀ ବନସଂରକ୍ଷକ,ରେଞ୍ଜ ଅଧିକାରୀ,ଶ୍ରମ ଓ କର୍ମଚାରୀ ରାଜ୍ୟ ବିଭାଗର ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ । ଶେଷରେ ସହକାରୀ ବନ ସଂରକ୍ଷକ ମିନାକ୍ଷୀ କୁମୁରା ଧନ୍ୟବାଦ ପ୍ରଦାନ କରିଥିଲେ ।

  • Related Posts

    କେସିଙ୍ଗା ସିଟିଜେନ଼୍ କମିଟି ତରଫରୁ ୮୭ତମ ସ୍ୱାଧୀନତା ଦିଵସ ପାଳନ

    କେସିଙ୍ଗା : ( ପ୍ରୀତେଶ ପଟେଲ)ଆମ ଦେଶରେ ପାଳିତ ହୋଇଛି ୭୮ ତମ ସ୍ବାଧିନତା ଦିବସ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବିଦ୍ୟାପୀଠ ପଡ଼ିଆରେ କେସିଙ୍ଗା ସିଟିଜେନ୍ କମିଟି ତରଫରୁ ଉତ୍ସାହ ଉଦ୍ଦୀପନା ସହ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ୭୮ତମ ସ୍ବାଧୀନତା…

    Leave a Reply

    Your email address will not be published. Required fields are marked *

    You cannot copy content of this page