
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାର ଭୋପାଳପଟ୍ଟନମ ଜାତୀୟ ରାଜପଥରେ ନକ୍ସଲମାନେ ଏକ ବଡ଼ ଧରଣର ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଛନ୍ତି। ନକ୍ସଲମାନେ କେସାଇଗୁଡ଼ା ଏବଂ ଗୋର୍ଲା ରାଜରାସ୍ତା ମଧ୍ୟରେ ଏକ ପିକଅପ୍ ଗାଡ଼ିକୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟାଇଛନ୍ତି। ଗାଡ଼ିରେ ଯାତ୍ରା କରୁଥିବା ଏସଟିଏଫ ଯବାନ ମାନଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିଲା।
ବିସ୍ଫୋରଣ ପରେ ତୁରନ୍ତ ନକ୍ସଲମାନେ ଯବାନଙ୍କ ଉପରେ ଆଖିବୁଜା ଗୁଳି ଚଳାଇବା ଆରମ୍ଭ କରିଦେଲେ। ତଥାପି, ଯବାନମାନେ ମଧ୍ୟ ପୂର୍ଣ୍ଣ ସତର୍କତାର ସହିତ ପାଲଟା ଆକ୍ରମଣ କରିଥିଲେ। ଯବାନ ମାନେ ଭାରି ପଡିବା ଦେଖି ନକ୍ସଲମାନେ ଘନ ଜଙ୍ଗଲର ସୁଯୋଗ ନେଇ ସେଠାରୁ ଖସି ପଳାଇ ଯାଇଥିଲେ।
ଏହି ଆକ୍ରମଣରେ ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ କିଛି ଯବାନ ସାମାନ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ଗ୍ରାମବାସୀ ଏବଂ ସୁରକ୍ଷା ବାହିନୀଙ୍କ ସହାୟତାରେ, ଆହତ ଯବାନ ମାନଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ମାଧେଡ୍ ହସ୍ପିଟାଲକୁ ନିଆଯାଇଥିଲା।
ଆକ୍ରମଣ ପରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ଘଟଣା ସ୍ଥଳରେ ତଲାସି ଜୋରଦାର କରାଯାଇଛି।ଆକ୍ରମଣକାରୀ ନକ୍ସଲଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଗିରଫ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସିଆରପିଏଫ ଏବଂ ପୁଲିସର ଏକ ମିଳିତ ଦଳ ସର୍ଚ୍ଚ ଅପରେସନ ଆରମ୍ଭ କରିଛି।ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଛି ଏବଂ ସୁରକ୍ଷା ବାହିନୀ ଦ୍ୱାରା ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।