
ନବରଙ୍ଗପୁର(କ୍ରୋନିକ ଓଡ଼ିଶା)ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କୁ ନିଜ ସମାଜରୁ ୧୨ ବର୍ଷ ସମାଜିକ ବାସନ୍ଦ କରାଯାଇଛି। ନିଜ ଜାତି ଛାଡି ଅନ୍ୟ ଜାତିର ଝିଅଙ୍କୁ ବିବାହ କରିଥିବାରୁ ଭତରା ସମାଜ ପକ୍ଷରୁ ୧୨ ବର୍ଷ ପାଇଁ ସମାଜିକ ବାସନ୍ଦର ଶିକାର ହେଲେ ପୂର୍ବତନ ନବରଙ୍ଗପୁର ସାଂସଦ ତଥା ବିଜେଡି ବରିଷ୍ଠ ନେତା ପ୍ରଦୀପ ମାଝୀ । ଆଦିବାସୀ ଭତରା ସମାଜର କେନ୍ଦ୍ରୀୟ କମିଟିର ଏକ ବୈଠକ ନବରଙ୍ଗପୁର ଜିଲ୍ଲା ଧାମନାଗୁଡା ଠାରେ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ପୂର୍ବତନ ସାଂସଦ ତଥା ବିଜେଡି ବରିଷ୍ଠ ନେତା ପ୍ରଦୀପ ମାଝୀଙ୍କ ବିବାହକୁ ନେଇ ଆଲୋଚନା ହୋଇଥିଲା। ନିଜ ଜାତି ଛାଡି ଅନ୍ୟ ଜାତିରେ ବିବାହ କରିଥିବାରୁ ପ୍ରଦୀପ ମାଝୀ ଏବଂ ତାଙ୍କ ପରିବାର ଲୋକଙ୍କୁ ୧୨ ବର୍ଷ ପାଇଁ ଜାତିରୁ ସାମାଜିକ ବାସନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଉକ୍ତ ପରିବାରର କୌଣସି ଭଲ ମନ୍ଦ କାର୍ଯ୍ୟରେ ସମାଜର କେହି ଯୋଗ ଦେବେ ନାହିଁ ବୋଲି ନିଷ୍ପତି ମଧ୍ୟ ନିଆଯାଇଛି। ସୂଚନା ଅନୁଯାୟୀ ଗତ ୧୨ ତାରିଖ ଦିନ ଗୋଆର ପଞ୍ଜୀମ କେଡିନା ହାଉସ ଠାରେ କେନ୍ଦ୍ରାପଡା ଜିଲ୍ଲାର ସୁଶ୍ରୀ ସଙ୍ଗିତା ସାହୁଙ୍କ ସହିତ ବିବାହ ହୋଇଥିଲା।ତେବେ ସୁଶ୍ରୀ ସଙ୍ଗୀତା ସାହୁ ଅନ୍ୟ ଜାତିର ହୋଇଥିବାରୁ ପ୍ରଦୀପ ନିଜ ଜାତି ଛାଡି ଅନ୍ୟ ଜାତିରେ ବିବାହ କରିଥିବା ଅଭିଯୋଗ କରିଛନ୍ତି ଆଦିବାସୀ ଭାତରା ସମାଜର କେନ୍ଦ୍ରୀୟ କମିଟି। ତେବେ ପ୍ରଦୀପଙ୍କ ଏହି ବିବାହ ଦ୍ୱାରା ନିଜ ସମାଜ ପ୍ରତି ଘୃଣା ଭାବ ରଖିଥିବା ଅଭିଯୋଗ କରିଛନ୍ତି ଭତରା ସମାଜ କେନ୍ଦ୍ରୀୟ କମିଟି ସଦସ୍ୟ। ତେଣୁ ଏଥିପୂର୍ବରୁ ମଧ୍ୟ ପ୍ରଦୀପ ନିଜ ଭଉଣୀ ସଞ୍ଜୁ ମାଝୀଙ୍କୁ ଏକ ବ୍ରାହ୍ମଣ ପରିବାର ରେ କୋରାପୁଟ ସ୍ଥିତ ଜଗନ୍ନାଥ ମନ୍ଦିରରେ ବିବାହ କରାଇଥିଲେ । ଏଥିରୁ ପ୍ରଦୀପ ନିଜ ଜାତି ପ୍ରତି ଘୃଣା ଭାବ ରଖିଥିବା ଏବଂ ନିଜକୁ ଜଣେ ସର୍ବେ ସର୍ବା ଭାବୁଥିବ ଅଭିଯୋଗ କରିଛି ଏହି କେନ୍ଦ୍ରୀୟ କମିଟି । ପ୍ରଦୀପଙ୍କ ଏହି ମାଙ୍ଗଳିକ କାର୍ଯ୍ୟ ଗୁଡିକ ଅଖିଳ ଭାରତୀୟ ଆଦିବାସୀ ଭାତରା ସମାଜକୁ କୁଠାରାଘାତ କରୁଥିବା ଅଭିଯୋଗ କରି ୧୨ ବର୍ଷ ଯାଏଁ ନିଜ ଜାତିରୁ ପ୍ରଦୀପ ମାଝୀ ଓ ତାଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ଆଦିବାସୀ ଭତରା ସମାଜ କେନ୍ଦ୍ରୀୟ କମିଟି ତରଫରୁ ପ୍ରକାଶ କରାଯାଇଛି।