
ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟୀର ଜଣେ ଯୁବକ ଏବେ ଡ଼ାକ୍ତର ହେବେ। କଥାରେ ଅଛି ଯଦି ମନୋବଳ ଦୃଢ଼ ତେବେ ଏ ସଂସାରରେ ସବୁ ସମ୍ଭବ। କେବଳ ଦୃଢ଼ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ଫଳରେ ଡାକ୍ତର ହୋଇ ରୋଗୀଙ୍କୁ ସେବା ଯୋଗାଇ ଦେବେ ବଣ୍ଡା ଜନଜାତିର ଜଣେ ଯୁବକ ମଙ୍ଗଳା ମୁଦୁଲି। ବଣ୍ଡା ଜନଜାତି ସମୂହର ଜଣେ ଉଜ୍ଜ୍ୱଳ ଛାତ୍ର ମଙ୍ଗଳା ମୁଦୁଲି NEET 2024 ମାଧ୍ୟମରେ ବ୍ରହ୍ମପୁର ଅଞ୍ଚଳର ସମ୍ମାନଜନକ ତଥା ପ୍ରତିଷ୍ଠିତ MKCG ମେଡିକାଲ କଲେଜ ଏବଂ ହସପିଟାଲରେ ସ୍ଥାନ ସୁରକ୍ଷିତ କରି ଏକ ଚମତ୍କାର ସଫଳତା ହାସଲ କରିଛନ୍ତି। ମୁଦୁଲିପଡା ଏସଏସଡି ହାଇସ୍କୁଲରେ ପାଠ ପଢା ସମାପ୍ତ କରି ଗୋବିନ୍ଦପାଲିର ଏସଏସଡି ସିନିୟର ମାଧ୍ୟମିକ ବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିଥିବା ମଙ୍ଗଳା ମୁଦୁଲିଙ୍କୁ ଏମବିବିଏସ କାର୍ଯ୍ୟକ୍ରମରେ ଏକ ଆସନ ସୁନିଶ୍ଚିତ କରିବା ମାଲକାନଗିରି ଜିଲ୍ଲା ପାଇଁ ନିହାତି ଗୌରର କଥା। ପ୍ରଥମ ରାଉଣ୍ଡରେ ମଙ୍ଗଳା ନିଜର ସ୍ଥାନ ବଜାୟ ରଖିବା ପଛରେ ତାଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠାକୁ ପ୍ରତିଫଳିତ କରିଛି। ଓଡିଶା ସରକାରଙ୍କ ଏସଟି / ଏସସି ବିଭାଗ ମଙ୍ଗଳା ମୁଦୁଲିଙ୍କୁ ଅଭିନନ୍ଦନ ଜଣାଇବା ସହ ନୂତନ ଯାତ୍ରା ପାଇଁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।ଏ ଖବର ମାଲକାନଗିରି ଜିଲ୍ଲାରେ ପ୍ରସାରିତ ହେବା ପରେ ମଙ୍ଗଳା ମୁଦୁଲିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟୁଛି।