
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଓ ଦମନ ପାଇଁ ଜାରିଥିବା ତଲାସି ଅଭିଯାନ ବେଳେ ମାଓବାଦୀଙ୍କ ଔଷଧୀୟ ଓ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଗଛିତ ଥିବା ଡମ୍ପ ଠାବ କରି ଅନେକ ସାମଗ୍ରୀ ଜବତ କରିଛି ସୁରକ୍ଷା ବଳ। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକୁମା ଜିଲ୍ଲା ଅନ୍ତର୍ଗତ ମିନାଭଟ୍ଟା ଜଙ୍ଗଲରେ ମାଓ ଦମନ ନିମନ୍ତେ ପୋଲିସ ଓ ଯବାନଙ୍କ ଦ୍ଵାରା ମାଓ ଦମନ ନିମନ୍ତେ ତଲାସି ଅଭିଯାନ ଜାରି ରହିଥିଲା। ତେବେ ଏହି ସମୟରେ ଜଙ୍ଗଲ ଭିତରୁ ମାଓବାଦୀଙ୍କ ପକ୍ଷରୁ କରାଯାଇଥିବା ଔଷଧୀୟ ଭଣ୍ଡାର ଠାବ କରିଥିଲେ ଯବାନ ମାନେ। ଯେଉଁଥିରୁ ଅନେକ ଦାମୀ ଦାମୀ ମେଡିକାଲ ସାମଗ୍ରୀ ମିଳିଛି। ପ୍ରାୟ ୨୦ ଲକ୍ଷ ଟଙ୍କାର ଅତ୍ୟାଧୁନିକ ଚକ୍ଷୁ ପରୀକ୍ଷା କରିବା ଲାଗି ଏକ କମ୍ପୁଟରାଇଜ ମେସିନ ମଧ୍ୟ ସେଠାରୁ ଠାବ ହୋଇଛି। ଯାହା କେବଳ ବଡ ବଡ ଡାକ୍ତରଖାନାରେ ଉପଲବ୍ଧ ହୋଇଥାଏ। ଏହି ମେଡିସିନ୍ ଡମ୍ପ ଠାବ ହେବା ପରେ ଆଖପାଖ ଜଙ୍ଗଲରେ ଅପରେସନକୁ ଜୋରଦାର କରାଯାଇଛି ବୋଲି ସୁକୁମା ଏସପି କିରଣ ଚୌହାନ ସୂଚନା ଦେଇଛନ୍ତି। ତେବେ ଗତ କିଛି ଦିନ ହେବ ମାଓ ଅଞ୍ଚଳରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ପକ୍ଷରୁ କରାଯାଇଥିବା ଜୋରଦାର ଅପରେସନରେ ଅନେକ ମାଓବାଦୀ ନିହତ ଓ ଆହତ ହୋଇଥିବା ବେଳେ ଜଙ୍ଗଲ ଭିତରେ ରହି ନିଜର ଚିକିତ୍ସା କରିବା ପାଇଁ ଏହି ସବୁ ସାମଗ୍ରୀର ବ୍ୟବହାର କରୁଥିବା ଅନୁମାନ କରାଯାଉଛି।