
କାଲିମେଳା(କ୍ରୋନିକ ଓଡ଼ିଶା)ସବୁଦିନ ପରି ଗତକାଲି ମନ୍ଦିରରେ ସନ୍ଧ୍ୟା ଆଳତି ଶେଷ ପରେ ପହଡ ବନ୍ଦ କରି ପୂଜାରୀ ଘରକୁ ଚାଲିଯାଇଥିଲେ। ହେଲେ ଆଜି ସକାଳୁ ପୁଣି ପହଡ ଖୋଲି ଦେଖିବା ବେଳକୁ ମନ୍ଦିର ଭିତରେ ପ୍ରଭୁ ଶିବଙ୍କ ପ୍ରତିମୂର୍ତ୍ତୀର ପାଦ ତଳେ ଏକ ଦୁର୍ଲଭ ପ୍ରଜାତିର କଇଁଚ ଦେଖିଥିଲେ। ଏହା ଦେଖି ପୂଜକ ଆଚମ୍ବିତ ହୋଇ ଯାଇଥିଲେ। ମନ୍ଦିର ପରିସରରେ ଭଗବାନଙ୍କର ଏଭଳି ଅଲୌକିକ ଘଟଣା ଗ୍ରାମବାସୀଙ୍କ ମଧ୍ୟରେ କ୍ଷଣିକ ମଧ୍ୟରେ ଖେଳି ଯାଇଥିଲା। ଏଭଳି ଅପୂର୍ବ ଘଟଣା କାଲିମେଳା ବ୍ଲକ ଅନ୍ତର୍ଗତ ଗମ୍ଫାକୋଣ୍ଡା ପଞ୍ଚାୟତ ଏମଭି-୬୬ ଗାଁରେ ଦେଖିବାକୁ ମିଳିଛି।ଏହାକୁ ଦେଖିବା ପାଇଁ ଅଞ୍ଚଳର ଶହ ଶହ ଲୋକ ରୁଣ୍ଡ ହୋଇଥିଲେ। ଅଚାନକ ଆବିର୍ଭାବ ହୋଇଥିବା ଏହି କଇଁଛ ପିଠିରେ କଳା, ହଳଦିଆ ଓ ନାଲି ରଙ୍ଗର ଅଙ୍କାବଙ୍କା ଚିତ୍ର ସହ ଭୂମି ସହ ସଂଲଗ୍ନ ହୋଇ ରହିଥିବା ଦେଖିବାକୁ ମିଳିଥିଲା।ଶିବ ଠାକୁରଙ୍କ ପାଦ ତଳେ ଦୀର୍ଘ ସମୟ ଧରି ରହିବା ପରେ ଲୋକେ ପୂଜାବିଧି କରିଥିଲେ। ଏହି ସମୟରେ ଠାକୁରଙ୍କୁ ଅର୍ପଣ କରାଯାଉଥିବା ନଡ଼ିଆ, କଦଳୀ ଓ ଅନ୍ୟାନ୍ୟ ଭୋଗକୁ ଏହି ଦୁର୍ଲଭ କଇଁଛ ଟି ଭକ୍ଷଣ କରିଥିବା ଦେଖିବାକୁ ମିଳିଥିଲା କଇଁଛର ଏଭଳି ବିରଳ ତଥା ଅନନ୍ୟ ବର୍ଣ୍ଣ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଭକ୍ତି ଭାବନା ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପଟେ ଆଗକୁ ଶିବରାତ୍ର ଆସୁଥିବାରୁ ଏମଭି-୬୬ ଶିବ ମନ୍ଦିରରେ ଏଭଳି ଦୁର୍ଲଭ କଇଁଛ ଠାବ ହେବା ଯୋଗୁଁ ଶିବ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଆଣି ଦେଇଥିବା କୁହାଯାଇଛି।