
କାଲିମେଳା(ଓଡିଶା କ୍ରୋନିକ)ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଗୁମୁକା ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ଆଦିବାସୀ ମହିଳାଙ୍କୁ ଜଣେ ଦୁର୍ବୃତ୍ତ ବଳାତ୍କାର ପରେ ହତ୍ୟା କରିଛି। ପରେ ଅଭିଯୁକ୍ତଙ୍କୁ ଗ୍ରାମବାସୀ ମାନେ ମିଳିମିଶି ଅଟକ ରଖିବା ପରେ ପୁଲିସକୁ ହସ୍ତାନ୍ତର କରିଛନ୍ତି। ମୃତକ ଆଦିବାସୀ ମହିଳା ଜଣଙ୍କ ହେଲେ ଗୁମୁକା ଗ୍ରାମର ଶିଙ୍ଗେ ମାଡକାମୀ(୩୦)ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ଗୁମୁକା ପଞ୍ଚାୟତ କାର୍ଯ୍ୟାଳୟ ପଛ ପଟ ବସ୍ତିରେ ରହୁ ଆସୁଥିବା ମାଲା ମାଡ଼କାମୀ ଆନ୍ଧ୍ରପ୍ରଦେଶରେ ରହି କାମ କରୁଥିବା ବେଳେ ତାଙ୍କ ସ୍ତ୍ରୀ ଶିଙ୍ଗେ ନିଜ ଛୋଟ ପିଲା ସହ ଘରେ ଏକାକୀ ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ଏହାର ସୁଯୋଗ ନେଇ ଅଭିଯୁକ୍ତ ଜଣଙ୍କ ଶିଙ୍ଗେଙ୍କୁ ବଳାତ୍କାର ପରେ ହତ୍ୟା କରିଥିବା କୁହାଯାଉଛି। ତେବେ ଅଭିଯୁକ୍ତକୁ କାଲିମେଳା ପୁଲିସ ଏବେ ଥାନାରେ ଅଟକ ରଖିଛି। କୋରାପୁଟରୁ ସାଇଣ୍ଟିଫିକ ଟିମ ଡକାଯାଇଛି। ଘଟଣା ସ୍ଥଳର ଟିକିନିଖି ତଦନ୍ତ କରାଯିବ।ଶବ ବ୍ୟବଚ୍ଛେଦ ଏବଂ ସାଇଣ୍ଟିଫିକ ଟିମ ତଦନ୍ତ ରିପୋର୍ଟ ମିଳିଲା ପରେ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିବ ବୋଲି କାଲିମେଳା ଭାରାପ୍ରାପ୍ତ ଥାନାଧିକାରୀ ଏସଆଇ ଦ୍ରୋଣାଚାର୍ଯ୍ୟ ସୁନାନୀ କହିଛନ୍ତିି।ଏହି ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଏବେ ଗୁମକା ଗାଁରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।