
ରାଇକିଆ(କ୍ରୋନିକ ଓଡ଼ିଶା)କନ୍ଧମାଳ ଜିଲ୍ଲା ରାଇକିଆ ତହସିଲ କାର୍ଯ୍ୟାଳୟ ତରଫରୁ ବହୁ ଦିନ ପରେ ତହସିଲଦାର ତଥା ତହସିଲ ସ୍ତରୀୟ ମନିଟରିଙ୍ଗ କମିଟିର ଅଧ୍ୟକ୍ଷା ସୁଶ୍ରୀ ସୁଭଦ୍ରା ମୁଣ୍ଡିକାଙ୍କ ଅଧ୍ୟକ୍ଷତାରେ ମାଣିକେଶ୍ଵର ଓ ରାଇକିଆ ପଞ୍ଚାୟତର ଜଙ୍ଗଲ ଜମି ଦାବିଦାରମାନଙ୍କୁ ପଟ୍ଟା ବଣ୍ଟନ କରାଯାଇଛି। ୨୦୦୮ ମସିହାରେ ଦାବି କରିଥିବା ଆଦିବାସୀମାନଙ୍କ ଦଖଲରେ ଥିବା ଜଙ୍ଗଲ ଜମିର ରେକର୍ଡ ଅଫ୍ ରାଇଟସରେ ପ୍ରଶାସନ ତରଫରୁ ପ୍ରଦାନ କରାଯାଇଛି। ଏଥିରେ ରାଇକିଆ ଓ ମାଣିକେଶ୍ଵର ପଞ୍ଚାୟତର ୨୩୨ ଜଣଙ୍କୁ ପଟ୍ଟା ପ୍ରଦାନ କରାଯାଇଛି।ଆଦିବାସୀଙ୍କ ଜୀବନ ଜୀବିକା ଓ ଖାଦ୍ୟ ନିରାପତ୍ତା ପାଇଁ ଜଙ୍ଗଲ ଅଧିକାର ଆଇନ ୨୦୦୬ ସଂଶୋଧିତ ନିୟମ ୨୦୧୨ ଅନୁଯାୟୀ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନେ ନିଜର ଦଖଲରେ ଥିବା ଏହି ସମସ୍ତ ଜଙ୍ଗଲ ଜମିର ରେକର୍ଡ ଅଫ୍ ରାଇଟସ୍ ପାଇବା ପାଇଁ ଅଧିକାର ଦିଆଯାଇଛି। ଆଦିବାସୀମାନଙ୍କର ଆର୍ଥିକ ଅଭିବୃଦ୍ଧି, ଜୀବନ ଜୀବିକା ଓ ଖାଦ୍ୟ ନିରାପତ୍ତାରେ ସୁଦୃଢ କରିବା ପାଇଁ ଜଙ୍ଗଲ ଜମିରେ ବିଭିନ୍ନ ଚାଷ କରିବା, ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟ ଭଳି ବିପଦ ସମୟରେ ବିଭିନ୍ନ ପଦକ୍ଷେପମାନ ଉପରେ ଅବଗତ କରାଯାଇଛି। ଦୀର୍ଘ ବର୍ଷ ପରେ ସମସ୍ତେ ଦାବିଦାରମାନେ ନିଜର ରେକର୍ଡ ଅଫ୍ ରାଇଟସ୍ ପାଇବା ପରେ ନିଜର ଖୁସି ବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରିଣୀ ଉର୍ମିଳା ପ୍ରଧାନ, ରାଇକିଆ ସରପଞ୍ଚ, ଗୀତାଞ୍ଜଳି ନାୟକ, ନାଏବ ସରପଞ୍ଚ, ନିଥିଏଲ୍ ନାୟକ, ରାଜସ୍ବ ନୀରିକ୍ଷକ, ସୁପ୍ରିୟା ସ୍ନିଗ୍ଧା ବେହେରା, ରାଜସ୍ବ ସୁପର ଭାଇଜର, ଗୋଲକ ବିହାରୀ ସାମନ୍ତ ସିଂହାର କର, ମାଣିକେଶ୍ଵର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଲୋକନାଥ ପଟ୍ଟନାୟକ, ଏଫ୍ ଆର୍ ସେଲ୍ ସଂଯୋଜକ ଗଣେଶ ପ୍ରଧାନ, ବସୁନ୍ଧରା ସଂଯୋଜକ ହୃଷିକେଶ ପ୍ରଧାନ ଉପସ୍ଥିତ ଥିଲେ।