
ମାଲକାନଗିରି(କ୍ରୋନିକ ଓଡ଼ିଶା)ଜମି ଜମା ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡରେ ପହଁଚିଲା ଘଟଣାl ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳରେ। ମିଳିଥିବା ସୂଚନାନୁଯାୟୀ ମୋଟୁ ଥାନା ଅନ୍ତର୍ଗତ ମାନ୍ୟମକୋଣ୍ଡା ପଞ୍ଚାୟତର କତା ବାଞ୍ଜିଗୁଡା ଗ୍ରାମରେ ପୁତୁରାର ଶାବଳ ମାଡରେ ଦାଦା ମୃତ୍ୟୁ। ଦାଦା ପୁତୁରା ମଧ୍ୟରେ ଜମି ଜମାକୁ ନେଇ ବହୁ ଦିନ ହେଲା ବିବାଦ ଲାଗି ରହିଥିଲା। ବିଭିନ୍ନ ସମୟରେ ଦାଦା ପୁତୁରା ମଧ୍ୟରେ କଳି ଝଗଡ଼ା ହୋଇଥାଏ। ସେହିପରି ଗତକାଲି ଏହାକୁ ନେଇ ପୁଣି ଥରେ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ହେଲେ କାଲିର କଳି ଦାଦା ପାଇଁ କାଳ ସାଜିଥିଲା। ଉଭୟଙ୍କ ବିବାଦ ଶେଷରେ ହତ୍ୟାକାଣ୍ଡ ରୂପ ନେଇଥିଲା। ଗତକାଲି ସନ୍ଧ୍ୟା ସମୟରେ ଦାଦା ଭୀମା ମାଡି ଜମି କାର୍ଯ୍ୟ ସାରି ଘରକୁ ଫେରିଥିଲା। ଘରେ ପହଁଚିବା ପରେ ଦାଦା ପୁତୁରା ଦୁହିଁଙ୍କ ମଧ୍ୟରେ ସେଇ ପୁରୁଣା ଜମିଜମାକୁ ନେଇ ଭୀଷଣ ବଚସା ହୋଇଥିଲା। ବଚସା ଧିରେ ଧିରେ ଉଗ୍ର ରୂପ ନେଇଥିଲା। ଝଗଡ଼ା ମଝିରେ ପୁତୁରା ଲାଛା ମାଢି ଏକ ଶାବଳ ସାହାଯ୍ୟରେ ଆକ୍ରମଣ କରି ଦାଦା ଭୀମା ମାଡିର ମୁଣ୍ଡ ଫଟେଇ ଦେଇଥିଲା। ମାଡଟା ଏତେ ଜୋରରେ ଥିଲା ଯେ ଘଟଣା ସ୍ଥଳରେ ହିଁ ଦାଦା ଭୀମା ମାଡ଼ିର ମୃତ୍ୟୁ ହୋଇଥିଲା। ଏହା ପରେ ଭୀମା ମାଡିଙ୍କ ସ୍ତ୍ରୀ ମୋଟୁ ଥାନାରେ ଅଭିଯୋଗ କରିବା ପରେ ମୋଟୁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଲାଛା ମାଢିକୁ ଗିରଫ କରିବା ସହ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ସୁବାଷ ଚନ୍ଦ୍ର କରକରା ସୂଚନା ଦେଇଛନ୍ତି।