ମାଲକାନଗିରି(କ୍ରୋନିକ ଓଡ଼ିଶା)ସ୍ବାଧିନତାର ୭୭ ବର୍ଷ ପରେ ମଧ୍ୟ ମୌଳିକ ସୁବିଧା ସୁଯୋଗ ବଞ୍ଚିତ ଅନେକ ଗାଁ। ସେହିପରି ଏମିତି ଏକ ଗାଁ ଅଛି ଯେଉଁଠି ଶିକ୍ଷା , ସ୍ବାସ୍ଥ୍ୟ , ଗମନାଗମନ , ପାନୀୟଜଳ ଭଳି ମୌଳିକ ଅଧିକାରରୁ ବଞ୍ଚିତ ରହିଛନ୍ତି ଏଇ ଗାଁର ଗ୍ରାମବାସୀ। ଗାଁରେ ନାହିଁ ପକ୍କା ରାସ୍ତା କି ବିଜୁଳି ଆଲୋକ।ପକ୍କା ରାସ୍ତା ନଥିବାରୁ ଗାଁରେ ପହଁଞ୍ଚି ପାରୁନାହିଁ ଆମ୍ବୁଲାନ୍ସ। ବିଭିନ୍ନ ସମୟରେ ରୋଗୀ ଗର୍ଭବତୀଙ୍କୁ ଦୀର୍ଘ ୩ କିମି ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟରେ ପହଁଞ୍ଚାନ୍ତି ଗାଁ ଲୋକେ। ଦଶନ୍ଧି ଦଶନ୍ଧି ଧରି ସମସ୍ୟା ଫନ୍ଦାରେ ଫନ୍ଦି ଗୁଡା ଗାଁ। ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ କାମବେଡା ପଞ୍ଚାୟତ ଫନ୍ଦି ଗୁଡା ଗାଁ। ଫନ୍ଦି ଗୁଡା ଗାଁର ଗୋଟିଏ ପଟେ ପ୍ରାକୃତିକ ପରିବେଶ , ପାହାଡ଼ ଜଙ୍ଗଲ ଘେରା ବେଶ ମନୋରମ ଦେଖିବାକୁ।ପକ୍ଷୀ ମାନଙ୍କ କିଚିରିମିଚିରି ଶବ୍ଦ ସାଙ୍ଗକୁ ଅନ୍ୟ ପଟେ କଳ କଳ ନାଦରେ ବହିଯାଉଛି ଗମ୍ଫାକୋଣ୍ଡା କେନାଲ। ଗାଁରେ ୩୨ ପରିବାର ବସବାସ କରନ୍ତି।ଜନ ସଂଖ୍ୟା ପାଖାପାଖି ୧୫୦। ରାଜ୍ୟ ସରକାର ସବୁଠି ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଉକ୍ତ ଗାଁରେ ବିକାଶର ଚିହ୍ନ ବର୍ଣ୍ଣ ନାହିଁ। ଗାଁର ପ୍ରତ୍ୟେକ ଲୋକ ନିଜ ମୌଳିକ ଅଧିକାରରୁ ବଞ୍ଚିତ ହେବା ଏବଂ ଗାଁରେ ୩୨ଟି ପରିବାରରୁ ଜଣଙ୍କୁ ଛାଡିଦେଲେ ୩୧ ପରିବାର ଆବାସ ଯୋଜନା ନ ପାଇବା ସରକାରଙ୍କ ଯୋଜନାର ବାସ୍ତବ ଚିତ୍ରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁନାହିଁ କି.?। ଅପରପକ୍ଷରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗାଁକୁ ଆସୁନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ।ଦୀର୍ଘ ବର୍ଷ ହେଲା ଗ୍ରାମବାସୀଙ୍କ ପାଇଁ ପକ୍କା ରାସ୍ତା , ବିଶୁଦ୍ଧ ପାନୀୟଜଳ ସାତ ସପନ ପାଲଟିଛି। ଗାଁକୁ ଯିବାକୁ ହେଲେ ସୋଲୁରୁକୋଣ୍ଡା ପଟୁ ଗଲେ ଖାଲି ଢିପ ରାସ୍ତା , ସେହିପରି ଯଦି ଏମଭି-୫୦ ଗାଁ ପଟରୁ ଆସିବା ରାସ୍ତା ଭଲ ଅଛି ହେଲେ କିଛି ଚକନାଳରେ କଲଭର୍ଟ ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ତେଣୁ ଉଭୟ ପଟେ ଗାଁକୁ ଆମ୍ବୁଲାନ୍ସ ଆସିବା ଏକପ୍ରକାର ଅସମ୍ଭବ ବୋଲି ଗ୍ରାମବାସୀ ମାନେ କହିଛନ୍ତି। କେହି ରୋଗାକ୍ରାନ୍ତ ହେଲେ ଦୀର୍ଘ ୩ କିମି ଖଟିଆରେ ବୋହି ମାଣ୍ଡିକୋଣ୍ଡା ଗାଁ ପାଖରେ ଅଟକି ରହିଥିବା ଆମ୍ବଲାନ୍ସ ପାଖକୁ ଆଣିଲେ ତେବେ ଯାଇ ଡାକ୍ତରଖାନାରେ ପହଞ୍ଚନ୍ତି।ଅନ୍ୟ ଦିନରେ କାମ ଚଳି ଯାଉଥିବା ବେଳେ ବର୍ଷା ଦିନେ ଅସହ୍ୟ ହୋଇପଡେ। ଫନ୍ଦି ଗୁଡା ଗାଁକୁ ପକ୍କା ରାସ୍ତା ନଥିବାରୁ ଆମ୍ବଲାନ୍ସ ଶବ୍ଦ ଶୁଣି ନଥିବା କହିଛନ୍ତି ଗାଁର କୁନି କୁନି ପିଲା।ରୋଗୀ ଏବଂ ପ୍ରସୂତିଙ୍କ ପାଇଁ ଗାଁରେ ଆମ୍ବଲାନ୍ସ ପସି ପାରୁ ନଥିବାରୁ ଅନେକ ଜୀବନ ହାନି କଥାକୁ ଏଡାଇ ଦିଆଯାଇ ନପାରେ କିନ୍ତୁ ନିର୍ବାଚନ ଆସିଲେ ବିଭିନ୍ନ ଦଳର ନେତାମାନେ ପାହାଡ଼ ଭଳି ବିକାଶର ପ୍ରତିଶ୍ରୁତି ଦେଇଥାନ୍ତି। ମାତ୍ର ଭୋଟ ମିଳିଗଲା ପରେ ଆଉ ଭେଟ ମିଳେନାହିଁ। ଗାଁରେ ଅଙ୍ଗନବାଡି କେନ୍ଦ୍ରଟିଏ ନାହିଁ। ଯାହା ଦ୍ବାରା ଗର୍ଭବତୀ ମହିଳାଙ୍କ ପୋଷଣ ଚିନ୍ତା ଲାଗିଥାଏ। ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ ୨ କିମି ଦୂରରେ ଥିବା ତାଣ୍ଡିକୋଣ୍ଡା ଗାଁର ଅଙ୍ଗନବାଡି କେନ୍ଦ୍ରକୁ ଯାଆନ୍ତି କିନ୍ତୁ ସବୁଦିନେ ଛୋଟ ଶିଶୁଙ୍କୁ ଧରି ୨/୩ କିମି ଦୂର ଯିବା ଅସମ୍ଭବ। ତେଣୁ ୧୦ ରୁ ୧୨ ଶିଶୁ ଗାଁରେ ଥିବା ଗୋଟିଏ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ପିଲାଙ୍କ ସହ ବସି ପାଠ ପଢ଼ୁଛନ୍ତି ବୋଲି ଗାଁର ମହିଳା ମାନେ କହିଛନ୍ତି। ଗାଁରେ ଗୋଟିଏ ବୋଲି ନଳକୂଅ ନାହିଁ। ଗୋଟିଏ ବୋଲି ସୋଲାର ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ରହିଛି। ପାଣି ଟାଙ୍କି ଫାଟି ପାଣି ଝରୁଛି।ମେଘୁଆ ପାଗରେ ପିଇବା ପାଣି ଲୋକଙ୍କୁ ମିଳେନାହିଁ। ଗାଁ ପାଖ ଗମ୍ଫାକୋଣ୍ଡା କେନାଲ ପାଣି ଶୋଷ ମେଣ୍ଟାଉଥିବା କହିଛନ୍ତି ଗ୍ରାମବାସୀ।ଗାଁରେ ସେହିଭଳି ସୁବିଧା କିଛି ନାହିଁ, କେବଳ ରହିଛି ମାଳ ମାଳ ସମସ୍ୟା। ବାହ୍ୟ ଜଗତରୁ ଏକପ୍ରକାର ବିଚ୍ଛିନ୍ନ କହିଲେ ଭୁଲ ହେବ ନାହିଁ।କାରଣ ଦୀର୍ଘ ବର୍ଷ ଧରି ଏହି ଗାଁରେ ବିଜୁଳି ନାହିଁ। ଫଳରେ ଲୋକମାନେ ବାହାର ଦୁନିଆର କୌଣସି ଖବର ଜାଣି ପାରୁନାହାଁନ୍ତି। ସନ୍ଧ୍ୟା ହେଲେ ଗାଁରେ ଅନ୍ଧକାର ଖେଳିଯାଏ , ବିଭିନ୍ନ ସମୟରେ ଲୋକଙ୍କ ଘରୁ ଅଜଗର ଓ ବିଷାକ୍ତ ସାପ ମଧ୍ୟ ବାହାରୁଥିବା ଗ୍ରାମବାସୀ କହିଛନ୍ତି। ବିଜୁଳି ସଂଯୋଗ ସମ୍ପର୍କରେ ଟାଟା ପାୱାର ଏସଡିଓ ବିଶ୍ବକସେନ ପ୍ରଧାନଙ୍କୁ ପଚାରିବାରୁ କହିଥିଲେ ଫନ୍ଦି ଗୁଡା ଗାଁ ପାଇଁ ୮ ଲକ୍ଷ ଏବଂ ସେହିପରି ପୁରୁଣା ଚିମିଟାପାଲି ପଞ୍ଚାୟତର ଜାମଗୁଡା ଗାଁ ପାଇଁ ୫ ଲକ୍ଷ ଅର୍ଥ ମଞ୍ଜୁର ହୋଇଛି ଖୁବଶୀଘ୍ର ଉଭୟ ଗାଁକୁ ବିଦ୍ୟୁତ ସଂଯୋଗ କରାଯିବ।
ଗୁଣିଗାରେଡି ସନ୍ଦେହରେ ୬ ଗିରଫ, ବ୍ୟବହୃତ ଖଟୁଲି ସମେତ କାର ଜବତ।
ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ଚିତାପାରୀ-୪ ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ୬ ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଓର୍କେଲ ପୋଲିସ। ମିଳିଥିବା ସୂଚନାନୁଯାୟୀ ଚିତାପାରୀ-୪ ଗ୍ରାମରେ ପୂଜା ହେବ ବୋଲି ପ୍ରଶାସନ ପକ୍ଷରୁ…