ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବସ୍ତର ସଂଭାଗରେ ନକ୍ସଲ ସଂଗଠନ ଏବଂ ବରିଷ୍ଠ ନକ୍ସଲ ନେତାମାନଙ୍କୁ ଏକ ଶକ୍ତିଶାଳୀ ଝଟକା। ନକ୍ସଲ ବିରୋଧୀ ଅପରେସନ୍ ଅଧୀନରେ ଦନ୍ତେୱାଡା ପୁଲିସକୁ ଏକ ବଡ଼ ସଫଳତା ହାସଲ ହୋଇଛି।ଏକା ସହିତ ଚାରିଜଣ ହାର୍ଡକୋର ମାଓବାଦୀ ପୁଲିସ ସମ୍ମୁଖରେ ନିଜ ଅସ୍ତ୍ରଶସ୍ତ୍ର ତ୍ୟାଗ କରିବା ସହ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ଚାରିଜଣ ନକ୍ସଲଙ୍କ ମୁଣ୍ଡ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ପୁଲିସ କହିଛି ଯେ ଆତ୍ମସମର୍ପଣ କରିଥିବା ନକ୍ସଲ ଦମ୍ପତି ନକ୍ସଲମାନଙ୍କ ଆଞ୍ଚଳିକ କମ୍ପାନୀ ନମ୍ବର-୨ରେ ସକ୍ରୀୟ ଭାବେ କାର୍ଯ୍ୟ କରିଆସୁଥିଲେ।ନକ୍ସଲ ସ୍ୱାମୀ-ସ୍ତ୍ରୀଙ୍କ ମୁଣ୍ଡରେ ପୁଲିସ ପକ୍ଷରୁ ୮ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଥିଲା।ପୁଲିସ ଅଧିକାରୀ ମାନେ କହିଛନ୍ତି ଯେ ମାଓବାଦୀଙ୍କ ଭେଦଭାବ ନୀତି, ଅବହେଳା, ଜୀବନଶୈଳୀ ଏବଂ ଆଦର୍ଶରେ ବିତୃଷ୍ଣା ହେବା ପରେ ଶେଷରେ ନକ୍ସଲମାନେ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଆତ୍ମସମର୍ପଣ କରିଥିବା ଚାରିଜଣ ନକ୍ସଲମାନେ ସରକାରଙ୍କ ଲୋନ୍ ଭାରାଟୁ(ଘର ବାହୁଡ଼ା) ଅଭିଯାନ ଦ୍ୱାରା ପ୍ରଭାବିତ ହୋଇ ନକ୍ସଲ ସଂଗଠନର ଆଦର୍ଶ ଏବଂ ଚିନ୍ତାଧାରା ହାତ ଛାଡିଛନ୍ତି।ବର୍ତ୍ତମାନ ରାଜ୍ୟ ସରକାର ଏହି ନକ୍ସଲମାନଙ୍କ ପୁନଃ ଥଇଥାନ ପାଇଁ ଯତ୍ନବାନ ଅଛନ୍ତି।ସୁକମା ଜିଲ୍ଲାରେ ରହୁଥିବା ଏହି ଚାରି ଜଣ ଆତ୍ମସମର୍ପିତ ନକ୍ସଲଙ୍କୁ ୨୫ ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି ଏବଂ ରାଜ୍ୟ ସରକାରଙ୍କ ନକ୍ସଲ ପୁନଃ ଥଇଥାନ ଏବଂ ପୁନର୍ବାସ ନୀତି ଅନୁଯାୟୀ ସେମାନଙ୍କୁ ଥଇଥାନ କରାଯିବ ବୋଲି ପୁଲିସ କହିଛି।