ବିଦେଶୀ ମଦ ଦୋକାନରୁ ରାତି ଅଧିଆ ଚୋରା ଚାଲାଣ;ଅଭିଯୋଗ ସତ୍ତ୍ୱେ ଅବକାରୀ ବାବୁ ନୀରବ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଗୋଟିଏ ପଟେ ରାଜ୍ୟରେ ମଦ ଉପରେ ମୋହନ ସରକାର କଡା ପଦକ୍ଷେପ ନେଉଥିବା ବେଳେ ଅନ୍ୟପଟେ ମାଲକାନଗିରି ଜିଲ୍ଲାରେ ଲଗାଣ ଛଡ଼ା ହେଉଛି ଚୋରା ମଦ କାରବାର। ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ସରକାରୀ ସ୍ବୀକୃତି ପ୍ରାପ୍ତ ମଦ ଦୋକାନୀ ମାନେ ଦିନ ହେଉ କି ରାତି ହେଉ ବେଧଡକ ଭାବେ ନିୟମ ଭାଙ୍ଗି ଚୋରା ମଦ ଚାଲାଣ କରୁଛନ୍ତି। ତେବେ ଜିଲ୍ଲା ସଦରରେ ଥିବା ଏକ ମଦ ଦୋକାନରୁ ରାତି ପ୍ରାୟ ୨ଟା ସମୟରେ ଏହିପରି ଚୋରାରେ ମଦ ଏକ ଗାଡିରେ ଚାଲାଣ ହେଉଥିବାର ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିବା ପରେ ଚୋରା କାରବାରର ଗୁମର ଖୋଲିଛି। ସୂଚନା ଅନୁଯାୟୀ ଜିଲ୍ଲା ସଦରର ଦେଇ ଛତିଶଗଡର ସୁକୁମାକୁ ସଂଯୋଗ କରୁଥିବା ବାଇପାସ ରାସ୍ତା କଡରେ ଏକ ସ୍ବୀକୃତି ପ୍ରାପ୍ତ ବିଦେଶୀ ମଦ ଦୋକାନ ରହଛି। ତେବେ ଏହି ମଦ ଦୋକାନ ନାମରେ ପୂର୍ବରୁ ଅନେକ ଥର ଅଭିଯୋଗ ଆସିଥିଲେ ମଧ୍ୟ ଅବକାରୀ ବିଭାଗ ଉଚିତ ପଦକ୍ଷେପ ନେଉଆ ନଥିବାରୁ ମଦ ଦୋକାନୀଙ୍କ ମନମୁଖୀ ବଢିବାରେ ଲାଗିଛି। ଯାହା ଫଳରେ ମଦ ଦୋକାନୀ ଜଣଙ୍କ ସରକାରୀ ନିୟମକୁ ଖୋଲାଖୋଲି ଭାବେ ଉଲଂଘନ କରି ରାତି ପ୍ରାୟ ୨ ଟା ସମୟରେ ଦୋକାନରୁ ପେଟି ପେଟି ମଦ ଏକ ସ୍କର୍ପିଓ ଗାଡିରେ ଭରି ଚୋରା ଚାଲାଣ କରୁଛି। ନିୟମ ଅନୁଯାୟୀ ରାତି ୧୦ ପରେ ମଦ ଦୋକାନ ଗୁଡିକ ବନ୍ଦ ହେବା କଥା, କିନ୍ତୁ ଏହି ଦୋକାନରେ ରାତି ଅଧରେ ଲକ୍ଷାଧିକ ଟଙ୍କାର ମଦ ଖୋଲାଖୋଲି ଭାବେ ଗୋଟିଏ ଗାଡିରେ ଭରି ଚୋରାରେ ବିକ୍ରୟ ପାଇଁ ଯାଉଥିବା ସୂଚନା ମିଳିଛି। ଦୋକାନର କର୍ମଚାରୀ ମାନେ ନିଜେ ପେଟି ପେଟି ମଦ ଦୋକାନ ମଧ୍ୟରୁ ଆଣି ଗାଡିରେ ରଖୁଥିବା ବେଳେ ଗାଡିଟିର ନମ୍ବର ଛତିଶଗଡ ଅଞ୍ଚଳର ହୋଇଥିବା ଦେଖିବାକୁ ମିଳିଛି। ରାତି ଅଧରେ ଚୋରା ମଦ ବେପାର ସହ ଲୋକଙ୍କୁ ମଧ୍ୟ ଏହି ଦୋକାନୀ ଜଣଙ୍କ ମଦ ବିକ୍ରୟ କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି। ଯାହାର ଫୋନପେ ଯୋଗେ ଟଙ୍କା ଦିଆଯାଇଥିବାର ପ୍ରମାଣ ମଧ୍ୟ ରହିଛି। ଏହା ସହ ଉକ୍ତ ଦୋକାନ ସମେତ ଜିଲ୍ଲାର ବିଭିନ୍ନ ମଦ ଦୋକାନରେ ଧାର୍ଯ୍ୟ ଦର ଠାରୁ ଅଧିକ ଦରରେ ମଦ ବିକ୍ରି ହେଉଥିବା ନେଇ ଗ୍ରାହାକ ମାନେ ଅଭିଯୋଗ କରି ଆସୁଥିଲେ ମଧ୍ୟ ଦୋକାନୀ ମାନଙ୍କୁ ଏଥିରେ କୌଅଂଶୀ ଫରକ ପଡୁନଥିବା ଅଭିଯୋଗ ହୋଇଛି। ତେବେ ଜିଲ୍ଲା ସଦରରେ ଯଦି ଏହିପରି ଅବକାରୀ ବିଭାଗର ନାକ ତଳେ ବିଦେଶୀ ମଦ ଚୋରା ଚାଲାଣ ହେଉଛି ତେବେ ଜିଲ୍ଲାର ଅନ୍ୟ ସ୍ଥାନ ଗୁଡିକର କଥା ନକହିବା ଭଲ। ଏହି ମଦ ଚୋରା ଚାଲାଣ ହେଉଥିବାର ଭିଡିଓ ମଧ୍ୟ ଜିଲ୍ଲା ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡାଙ୍କ ନିକଟରେ ପହଞ୍ଚିଥିବା ସତ୍ବେବି ବିଭାଗ ପକ୍ଷରୁ ଘଟଣାର ସଠିକ ତଦନ୍ତ କରାଯାଇ ନଥିବା ଅନୁମାନ ହେଉଛି। ତେବେ ଏହି ଘଟଣାକୁ ନେଇ ଆମେ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ପଣ୍ଡାଙ୍କ ନିକଟରେ ପହଞ୍ଚିବାରୁ ସେ ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି ବୋଲି ପ୍ରକାଶ କରିଥିଲେ। ଏପରିକି ଜିଲ୍ଲାରେ ଗତ ୧୯/୦୮/୨୦୨୪ରୁ ୧୩/୦୯/୨୦୨୪ ମଧ୍ୟରେ ସ୍ଵତନ୍ତ୍ର ପଦକ୍ଷେପ ନେଇ ଅବକାରୀ ବିଭାଗ ଦ୍ଵାରା ମୋଟ ୧୦୩ଟି ମାମଲା ରୁଜ୍ଜୁ କରି ୨୮ ଜଣଙ୍କୁ ଗିରଫ କରାଯାଇଥିବା ପ୍ରକାଶ କରିଥିଲେ। ସେହିପରି ଜିଲ୍ଲାରେ ୨୬ଟି ସ୍ଥାନରେ ଚଢାଉ କରି ବେନିୟମ ଭାବେ ପ୍ରସ୍ତୁତ ହେଉଥିବା ୨୧୯୭ଲିଟର ଦେଶୀ ମଦ, ୧୪୨୫୦ କେଜି ପୋଚ ଆଦି ଜବତ ହୋଇଥିବା ପ୍ରକାଶ କରିଥିଲେ। ଏହା ସହ କିଛି ଦୋକାନୀଙ୍କ ଉପରେ ଲକ୍ଷାଧିକ ଟଙ୍କାର ଫାଇନ ମଧ୍ୟ ଲାଗିଥିବା ପ୍ରକାଶ କରିଥିଲେ। କିନ୍ତୁ ଏହି ରାତି ଅଧିଆ ଚୋରା କାରବାର ଘଟଣାକୁ ନେଇ ପଚାରିବାରୁ ସେ ଘଟଣାର ତଦନ୍ତ କରିବେ ବୋଲି ପ୍ରକାଶ କରିଛନ୍ତି। ତେବେ ଜିଲ୍ଲା ଅବକାରୀ ବିଭାଗ ଦ୍ଵାରା ଗତ ଅଗଷ୍ଟ ୧୯ରୁ ସେପ୍ଟେମ୍ବର ୧୩ ମଧ୍ୟରେ ସ୍ଵତନ୍ତ୍ର ପଦକ୍ଷେପ ନିଆଯାଉଥିବା ସମୟରେ ହିଁ ଏହି ରାତି ଅଧିଆ ମଦ ଚୋରା ଚାଲାଣ ହେଉଥିବାର ଭିଡିଓ ସାମ୍ନାକୁ ଆସିଥିବା ବେଳେ ଏହା ଅବକାରୀ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଠୀ କରୁଛି। ଏହା ସହ ଏହି ଚୋରା ଚାଲାଣର ଭିଡିଓ ମଧ୍ୟ ଅବକାରୀ ଅଧିକ୍ଷକଙ୍କ ନିକଟରେ ଥିବା ସତ୍ବେ ବିଭାଗ ପକ୍ଷରୁ କାହିଁକି ଭିଡିଓର ସତ୍ୟତା ଯାଞ୍ଚ ପାଇଁ କୌଣସି ପଦକ୍ଷେପ ନିଆଯାଇନାହି ତାହା ତଦନ୍ତ ସାପେକ୍ଷ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page