
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମଧ୍ୟପ୍ରଦେଶର ବାଲାଘାଟରେ ପୁଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଏକ ବଡ଼ ଧରଣର ଏନକାଉଣ୍ଟର ଘଟିଛି। ଏହି ଘମାଘୋଟ ଏନକାଉଣ୍ଟରରେ ଯବାନଙ୍କ ଦ୍ଵାରା ୩ ମହିଳା ସମେତ ୪ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି। ନକ୍ସଲ ସଂଗଠନରେ ଆହାତଙ୍କ ସଂଖ୍ୟା ବଢିପାରେ ବୋଲି ପୁଲିସ ଆଶଙ୍କା କରୁଛି। ସେପଟେ ଯବାନ ମାନେ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର ଜାରି ରଖିଛନ୍ତି। ସୂଚନା ଅନୁଯାୟୀ, ବାଲାଘାଟ ଜିଲ୍ଲାର ଗଢି ଥାନା ଅନ୍ତର୍ଗତ ଜଙ୍ଗଲରେ ନକ୍ସଲମାନଙ୍କ ଉପସ୍ଥିତି ଖବର ପୁଲିସକୁ ମିଳିଥିଲା।ଏହା ପରେ ହକ୍ ଫୋର୍ସ, ସିଆରପିଏଫ୍, କୋବ୍ରା ଏବଂ ଜିଲ୍ଲା ପୁଲିସର ମିଳିତ ଦଳକୁ ସର୍ଚ୍ଚ ଅପରେସନ ପାଇଁ ପଠାଯାଇଥିଲା। ଏହି ସମୟରେ, ସୁପଖାର ବନାଞ୍ଚଳ ଅଧିନସ୍ଥ ରୌନ୍ଦା ଫରେଷ୍ଟ କ୍ୟାମ୍ପ ନିକଟରେ ଯବାନ ନକ୍ସଲଙ୍କ ମଧ୍ୟରେ ମୁହାଁମୁହିଁ ଏକ ଏନକାଉଣ୍ଟର ହୋଇଥିଲା। ଦୀର୍ଘ ସମୟ ଧରି ଉଭୟ ପାର୍ଶ୍ୱରୁ ଗୁଳି ବିନିମୟରେ ଚାରି ଜଣ ନକ୍ସଲ ନିହତ ହୋଇଛନ୍ତି। ତେବେ ଆହୁରି ଅନେକ ନକ୍ସଲ ଆହତ ହୋଇଥିବା ମଧ୍ୟ ସୂଚନା ମିଳୁଛି। ଯବାନ ମାନେ ନକ୍ସଲଙ୍କ ଉପରେ ଭାରି ପଡିବା ଦେଖି ନକ୍ସଲମାନେ ଘଞ୍ଚ ଜଙ୍ଗଲ ଆଢ଼ୁଆଳରେ ଘଟଣା ସ୍ଥଳରୁ ଖସି ପଳାଇ ଯାଇଥିଲେ। ଘଟଣା ସ୍ଥଳରୁ ଗୋଟିଏ INSAS ରାଇଫଲ୍, ଗୋଟିଏ SLR ରାଇଫଲ୍ ଏବଂ ଗୋଟିଏ 303 ରାଇଫଲ୍ ଉଦ୍ଧାର କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏକ ଭିଡିଓ ଜାରି କରି ଯବାନ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ୱିଟରରେ ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ, ଗୃହମନ୍ତ୍ରୀ ଅମିତ ଶାହ 2026 ସୁଦ୍ଧା ଦେଶରୁ ନକ୍ସଲବାଦକୁ ଦୂର କରିବା ଯେଉଁ ଅଭିଯାନ ଚଳାଇଛନ୍ତି ତାହା ନିଶ୍ଚିତ ସଫଳ ହେବ। ମଧ୍ୟପ୍ରଦେଶ ରାଜ୍ୟ ସରକାର ମଧ୍ୟ ସେହି ଦିଗରେ ଗମ୍ଭୀରତାର ସହିତ କାର୍ଯ୍ୟ ଜାରି ରଖିଛନ୍ତି।