
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା) ବାଲିମେଳା ଜଳ ଭଣ୍ଡାରରେ ବୁଡି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ପଣସପୁଟ ପଞ୍ଚାୟତ ଡମଗଡ ଗାଁରେ ଦେଖିବାକୁ ମିଳିଛି। ମହିଳା ଜଣଙ୍କ ହେଲେ ଡମଗଡ ଗାଁର ବୁଦୁ କିର୍ଷାନୀଙ୍କ ପତ୍ନୀ ଇଛାବତୀ କିର୍ଷାନୀ , ବୟସ ପାଖାପାଖି ୪୦ ହେବ। ଗ୍ରାମବାସୀଙ୍କ ମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ ଇଛାବତୀ ଗତ ସୋମବାର ଅପରାହ୍ନରେ ବାଲିମେଳା ଜଳ ଭଣ୍ଡାରକୁ ଗାଧୋଇବା ପାଇଁ ଯାଇଥିଲେ।ଗୋଡ଼ ଖସିଯିବା କାରଣରୁ ମହିଳା ଜଣଙ୍କ ଜଳ ଭଣ୍ଡାରର ଗଭୀର ପାଣିକୁ ଭାସି ଯାଇ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।ସେଦିନ ରାତିରେ ଘରକୁ ନ ଫେରିବାରୁ ସ୍ବାମୀ ବୁଦୁ କିର୍ଷାନୀ ଏବଂ ଅନ୍ୟ ଗ୍ରାମବାସୀ ମାନେ ମିଶି ଖୋଜାଖୋଜି କରିଥିଲେ। ହେଲେ ଇଛାବତୀଙ୍କ କୌଣସି ଖୋଜଖବର ମିଳି ପାରିଲା ନାହିଁ। ତେବେ ଆଜି ପୂର୍ବାହ୍ନ ପ୍ରାୟ ୧୧.୩୦ ମିନିଟ ସମୟରେ ଇଛାବତୀଙ୍କ ମୃତଦେହ ବାଲିମେଳା ଜଳ ଭଣ୍ଡାରରେ ଭାସୁଥିବା କିଛି ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏହା ପରେ ଗାଁ ଲୋକେ ଏହି ଘଟଣା ସମ୍ପର୍କରେ ଯୋଡାଆମ୍ବ ଥାନାରେ ସୂଚନା ଦେଇଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମହିଳାଙ୍କ ମୃତଦେହକୁ ପାଣିରୁ ଉଦ୍ଧାର କରିଥିବା ଗ୍ରାମବାସୀ କହିଛନ୍ତିି।ଏ ସମ୍ପର୍କରେ ଯୋଡାଆମ୍ବ ଥାନାଧିକାରୀ ସଞ୍ଜୟ ପଡାସେଟିଙ୍କୁ ଫୋନ କରିବାରୁ ଯୋଗାଯୋଗ ହୋଇ ପାରିନଥିଲା।ତେବେ ମୃତକ ଇଛାବତୀଙ୍କ ଦୁଇଟି ପୁତ୍ର ସନ୍ତାନ ଥିବା ଜଣାପଡିଛି।ବଡ ପୁଅ ତ୍ରିନାଥ କିର୍ଷାନୀ(୯) ଏବଂ ସାନ ପୁଅ ରାମ କିର୍ଷାନୀ(୭)। ଘଟଣା ପରେ ଡମଗଡ ଗାଁରେ ଏବେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।