ଉଦ୍ୟାନର ଭ୍ରମ ସୃଷ୍ଟି କରୁଛି ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ସରକାରୀ ବାସଭବନ।

ମାଲକାନଗିରି, ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାନବ ସମାଜ ପ୍ରକୃତିର କୋଳରୁ ଜନମ ନେଇଛି ହେଲେ ପ୍ରକୃତିକୁ ଭଲ ପାଇବାରେ ସର୍ବଦା ବ୍ୟତିକ୍ରମ କରିବା ସହ ତା’ର ବିପରୀତ ଦିଗରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ମଣିଷ ଏତେ ସ୍ବାର୍ଥପର ହୋଇଯାଇଛି ଯେ କେବଳ ନିଜର ବିକାଶ ଏବଂ ନିଜ ଆଖପାଖ ଲୋକଙ୍କ ସମ୍ପର୍କରେ ଭାବୁଛି କିନ୍ତୁ ଯେଉଁ ପ୍ରକୃତି ଜନ୍ମ ଦେଇଛି,ଯିଏ ସବୁବେଳେ ମଣିଷକୁ ବଞ୍ଚିବାର ସାଧନ ଯୋଗାଉଛି।ତା ବିଷୟରେ କେହି କେତେବେଳେ ଚିନ୍ତା କରନ୍ତି ନାହିଁ। ଦୀର୍ଘ ଦିନର ବ୍ୟବଧାନ ପରେ ପ୍ରକୃତିକୁ ଭଲ ପାଇବା ଏବଂ ସୁରକ୍ଷା ଦେଉଥିବା ମଣିଷଟିଏ ଦେଖିବାକୁ ମିଳିଛନ୍ତି।ଉପାନ୍ତ ମାଲକାନଗିରି ଜିଲ୍ଲାର ବାଲିମେଳା ଭଳି ଏକ ଛୋଟ ସହରରେ ଦେଖିବାକୁ ମିଳିଛନ୍ତି ଏମିତି ଜଣେ ନିଆରା ମଣିଷ ଯେ କି ସମଗ୍ର ମାନବ ସମାଜକୁ ଭଲ ପାଇବା ସହ ପ୍ରକୃତିକୁ ଭଲ ପାଉଛନ୍ତି ଏବଂ ବେଶ୍ ଗୁରୁତ୍ୱ ମଧ୍ୟ ଦେଇ ଆସୁଛନ୍ତି।ଆମେ କହୁଛୁ ବାଲିମେଳା ସ୍ଥିତ ପୋଟେରୁ ଜଳସେଚନ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପୀତବାସ ସେଠୀଙ୍କ ସମ୍ପର୍କରେ।ପେଶାରେ ଜଣେ ସରକାରୀ କର୍ମଚାରୀ ହୋଇଥିଲେ ମଧ୍ୟ ନିଶାରେ ଜଣେ ପ୍ରକୃତି ପ୍ରେମୀ।ପ୍ରକୃତିକୁ ଭଲ ପାଇବା ଭଳି ଜଣେ ସରଳ ମଣିଷଟିଏ।ସେ ଯେବେ ଠାରୁ ବାଲିମେଳା ସହରକୁ ଆସିଲେଣି ସେବେ ଠାରୁ ତାଙ୍କ ସରକାରୀ ବାସଭବନ ପରିସରରେ ବିଭିନ୍ନ ପ୍ରକାରର ତଥା ରଙ୍ଗବେରଙ୍ଗର ଫୁଲ ଫଳ ଚାଷ ହେଉଥିବା ଦେଖାଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତାଙ୍କ ବଗିଚାରେ ଦେଖିବାକୁ ମିଳିଛି ଅନେକ କିସମର ଫୁଲ ଫଳ ଫଳିବାର ମନୋରମ ଦୃଶ୍ୟ। ଯାହା ସଭିଙ୍କ ମନ ମୋହିବା ସହ କୌଣସି ଏକ ଫୁଲ ଉଦ୍ୟାନର ଭ୍ରମ ସୃଷ୍ଟି କରୁଛି। ତାଙ୍କ ବାସଭବନ ସମ୍ମୁଖରେ କିସମ କିସମର ଗୋଲାପ , ଡାଲିଆ, ଜିନିଆ , ମଲ୍ଲୀ , ରକ୍ତ ମନ୍ଦାର , ସେବତୀ ,ଟଗର ,ଗେଣ୍ଡୁ ଭଳି ଅନେକ ଫୁଲ ସହ ବାଇଗଣ , କଦଳୀ ,ଟମାଟୋ,କଞ୍ଚା ଲଙ୍କା, ଅମୃତଭଣ୍ଡା ଭଳି ପନିପରିବା ଗଛ ଲାଗିଛି।ଏହା ସହିତ କିଛି ଔଷଧୀୟ ଗଛ ମଧ୍ୟ ରହିଛି। ବ୍ୟସ୍ତ ବହୁଳ ଜୀବନରେ ଟିକିଏ ସମୟ ପାଇଲେ ସେ ଅଧିକାଂଶ ସମୟ ଏହି ଫୁଲ ଫଳ ବଗିଚାର ରକ୍ଷଣାବେକ୍ଷଣା କରି ସମୟ ଅତିବାହିତ କରିଥାନ୍ତି।ଏ ସମ୍ପର୍କରେ ତାଙ୍କ ସହ କଥା ହେବା ବେଳେ ମୁଁ ଜଣେ ଚାଷୀ ପରିବାରର ପୁଅ , ଚାଷର ମହତ୍ତ୍ଵ ମୁଁ ଜାଣିଛି।ସେଥିପାଇଁ ପୋଟେରୁ ଜଳସେଚନ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଭାବେ ଆମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରକଳ୍ପର ସମସ୍ତ କେନାଲ ଓ ଶାଖା କେନାଲ ଗୁଡ଼ିକର ଶେଷ ସୀମାରେ କିଭଳି ପାଣି ପହଞ୍ଚିବ ସେ ଦିଗରେ କାର୍ଯ୍ୟ କରାଯାଉଛି। ଯାହା ଦ୍ବାରା ଜିଲ୍ଲାର ଚାଷୀ କୂଳ ବିଭିନ୍ନ ଚାଷ କରି ଲାଭବାନ ହୋଇ ପାରୁଛନ୍ତି।ସେହିପରି ପ୍ରକୃତି କୋଳରୁ ଜନ୍ମ ହୋଇଛି ପ୍ରକୃତିକୁ ଭଲ ପାଇବା ମୋର ପ୍ରଥମ କର୍ତ୍ତବ୍ୟ।ଏହା ଛଡ଼ା ଫୁଲ ବଗିଚାରେ କିଛି ସମୟ କାଟିଲେ ମୋର ଥକାପଣ ଦୂର ହୁଏ। ସେହିପରି ବଜାରରେ ମିଳୁଥିବା ଅନେକ ପନିପରିବାରେ ବିଭିନ୍ନ ରାସାୟନିକ ସାର ଓ କୀଟନାଶକ ବ୍ୟବହାର କରି ଉତ୍ପାଦନ କରୁଛନ୍ତି।ଯାହା ଆମ ସ୍ବାସ୍ଥ୍ୟ ପାଇଁ ହାନିକାରକ।ଏଣୁ ଅବସର ସମୟରେ ଏମିତି କିଛି ଚାଷ କରିବା ଦ୍ବାରା କସରତ ହେବା ସହ ସୁସ୍ଥ ଏବଂ ସୁସମ ଖାଦ୍ୟ ପାଇପାରୁଛୁ ବୋଲି କହିଥିଲେ। ଜଣେ ଏତେ ବଡ଼ ସରକାରୀ ଅଧିକାରୀ ସମୟର ଏପରି ବିନିଯୋଗ କରୁଥିବା ନିଶ୍ଚିତ ଅନ୍ୟ ମାନଙ୍କ ପାଇଁ ପ୍ରେରଣାଦାୟକ।ବହୁ ପୁରାତନ ପୋଟେରୁ ବିଭାଗକୁ ଅନେକ ଅଧିକାରୀ ଆସନ୍ତି ନିଜ ସରକାରୀ ବାସଭବନରେ ରହିଥାନ୍ତି ଏବଂ ନିଜ କାର୍ଯ୍ୟକାଳ ଶେଷ କରି ପୁଣି ଫେରିଯିବା ନଜୀର ରହିଛି। ହେଲେ ଶ୍ରୀ ସେଠୀ ଅଞ୍ଚଳର ସାଧାରଣ ଲୋକଙ୍କ ସହ ମଧୁର ସମ୍ପର୍କ ରଖିବା ସହ ଅଞ୍ଚଳର ବିକାଶ ପ୍ରତି ଅଧିକ ଦୃଷ୍ଟି ଦେଇ ଆସୁଛନ୍ତି। ପ୍ରକୃତିକୁ ଭଲ ପାଇବା ଭଳି ଏକ ଭିନ୍ନ ବ୍ୟକ୍ତିତ୍ଵ ପୀତବାସ ସେଠିଙ୍କ ଠାରୁ ଅନେକ ଶିଖିବାର ଅଛି ବୋଲି ସ୍ଥାନୀୟ ଅଞ୍ଚଳ ଦେଖଣାହାରୀଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚା।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page