
ମାଲକାନଗିରି(କ୍ରୋନିକ ଓଡ଼ିଶା)ଦାଦନ ଖଟିବାକୁ ଯାଇ ମୃତ୍ୟବରଣ କଲେ ଶ୍ରମିକ। ଆଜି ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତର ଖାରିଗୁଡା ଗ୍ରାମରେ। ଗ୍ରାମର ଗୋପୀନାଥ ଖିଲ ନାମକ ବ୍ୟକ୍ତି କିଛି ଦିନ ତଳେ ଆନ୍ଧ୍ରପ୍ରଦେଶର ମଛଲୀପଟନମ୍ ଅଞ୍ଚଳରେ ଥିବା ଗୋଲଡେନ ନାମକ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। ସେଠାରେ ଗତ ବୁଧବାର ଦିନ ସେ ଗାଧୋଇବା ସମୟରେ ବନ୍ଧରେ କିପରି ଗୋଡ଼ ଖସି ତାଙ୍କର ମୃତ୍ୟ ହୋଇଥିଲା। ଏହାପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କ ମୃତ ଶରୀରକୁ ଆଜି ମାଲକାନଗିରି ଜିଲ୍ଲାକୁ ଅଣାଯାଇଥିଲା। ନିଜ ଗୃହ ଗ୍ରାମକୁ ନେବା ପୂର୍ବରୁ ପ୍ରଥମେ ଓରକେଲ ଥାନାରେ ମୃତ ଶରୀରକୁ ନେଇ ସେହି ଘରୋଇ କମ୍ପାନୀ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଥିଲା। ତାପରେ ମୃତ ଶରୀରକୁ ନିଜ ଗୃହ ଗ୍ରାମକୁ ନିଆଯାଇଥିଲା। ତେବେ ତାଙ୍କ ପଡ଼ୋଶୀ ଗ୍ରାମ ଏମଭି-୩୮ ଗ୍ରାମର ଅପୁର୍ବ ମଣ୍ଡଳ ନାମକ ଠିକାଦାର ଗୋପୀନାଥଙ୍କୁ କାମ କରାଇବା ନିମନ୍ତେ ଆନ୍ଧ୍ରପ୍ରଦେଶକୁ ନେଇଥିଲେ। ତେଣୁ କିଛି ସମୟ ପାଇଁ ଗ୍ରାମବାସୀ ଉକ୍ତ ଠିକାଦାରଙ୍କ ବେପରୁଆ ହେତୁ ଏପରି ହୋଇଥିବା ନେଇ ଚର୍ଚ୍ଚା କରି ସମସ୍ତ ଦୋଷ ଠିକାଦାରଙ୍କ ଉପରେ ଲଦି ଦେଇଥିବା ଦେଖିବାକୁ ମିଳିଥିଲା। ପରେ ଠିକାଦାର ଏବଂ ପରିବାର ବର୍ଗଙ୍କ ଆପୋଷ ବୁଝାମଣାରେ ଗ୍ରାମବାସୀ ଶବ ସଂସ୍କାର ପାଇଁ ରାଜି ହୋଇଥିଲେ। ତେବେ ଶ୍ରମିକ ଜଣଙ୍କ ମୃତ୍ୟରେ ଗ୍ରାମରେ ଶୋକର ଛାୟା ଖେଳିଯାଇଥିବା ଦେଖିବାକୁ ମିଳିଛି।