
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲାରେ ମାଓବାଦୀ ବିରୋଧୀ ଅଭିଯାନ ଜାରି ରହିଥିବା ବେଳେ ଗତକାଲି ଡିଆରଜି , କୋବ୍ରା ,କେରିପୁ ବାହିନୀର ଯବାନ ମାନେ ମିଳିତ ଭାବେ ବାସାଗୁଡ଼ା ଥାନା ଅନ୍ତର୍ଗତ ନରସାପୁର – ଟେକମେଟା ଅଭିମୁଖେ ଅପରେସନ ପାଇଁ ବାହାରିଥିଲେ। ଉକ୍ତ ଜଙ୍ଗଲରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା।ଏହି ଏନକାଉଣ୍ଟରରେ ଜଣେ ମାଓବାଦୀର ମୃତ୍ୟୁ ହୋଇଛି। ମୃତ ମାଓବାଦୀଙ୍କ ପରିଚୟ କନ୍ନା ଝାଡି(୪୦) ଭାବେ ଚିହ୍ନଟ କରାଯାଇଛି।ସେ ମାଓ ସଙ୍ଗଠନରେ ନରସାପୁର ଜନତାନା ସରକାର ସଭାପତି ଭାବେ ସକ୍ରିୟ ଥିଲେ। ଗୁଳି ବିନିମୟ ଘଟଣା ସ୍ଥଳରୁ ନିହତ ମାଓବାଦୀର ଶବ ନିକଟରୁ ଏକ ୧୨ ବୋର୍ ବନ୍ଧୁକ ସମେତ ବିପୁଳ ପରିମାଣର ବିସ୍ଫୋରକ ଏବଂ ମାଓ ସାମଗ୍ରୀ ଜବତ କରାଯାଇଛି। ମୃତ ମାଓବାଦୀ ମୁଣ୍ଡ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ଥିଲା। ଏହି ଅପରେସନରେ ବିଜାପୁର ଜିଲ୍ଲା ଡିଆରଜି , କୋବ୍ରା ୨୧୦ ଏବଂ କୋବ୍ରା ୨୦୫, କେରିପୁ ବାହିନୀ ୨୨୯, ୧୯୬ ବାଟାଲିୟନର ଯବାନ ସାମିଲ ଥିଲେ। ମୃତ ମାଓବାଦୀଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି, ପୋଡ଼ାଜଳା ଏବଂ ଅପହରଣ ଭଳି ସାତଟି ମାମଲା ରୁଜୁ ହୋଇଛି।ଏହା ବ୍ୟତୀତ ୪ଟି ସ୍ଥାୟୀ ଓ୍ବାରେଣ୍ଟ ମଧ୍ୟ ରହିଛି।