
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ଭାରରେ ବୁହା ହେଲେ ମହିଳା ଏଭଳି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଳକ ଅନ୍ତର୍ଗତ ନୂଆଗୁଡା ପଞ୍ଚାୟତ ବଡପୁଟ ଗାଁରେ ଦେଖିବାକୁ ମିଳିଛି। ବଡ଼ପୁଟ ଗ୍ରାମର ସବିତା ସିଶା ଗତ କିଛିଦିନ ହେବ ସେ ଜ୍ୱରରେ ପୀଡିତ ଥିଲେ।ଆଜି ହଠାତ ତାଙ୍କ ମୁଣ୍ଡରେ ଭିଷଣ ଯନ୍ତ୍ରଣା ଅନୁଭବ ହେବା ପରେ ଛଟପଟ ହେବାରୁ ଗାଁ ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ କିନ୍ତୁ ଗାଁକୁ ଖଣ୍ଡିଏ ଭଲ ରାସ୍ତା ନଥିବାରୁ ଗାଁ ପାଖକୁ ଆମ୍ବୁଲାନ୍ସ ଆସିପାରିନଥିଲା। ଶେଷରେ ସ୍ୱାମୀ ଚକରନ ସୀସା ଓ ଗାଁ ଲୋକେ ମିଶି ମୁଣ୍ଡ ଯନ୍ତ୍ରଣାରେ ଛଟପଟ ହେଉଥିବା ସବିତାଙ୍କୁ ଭାରରେ ଦୀର୍ଘ ୫ କିଲୋମିଟର ଭାରରେ ବୋହି ଇରାଗୁପୁ ଗ୍ରାମରେ ପହଂଚିଥିଲେ। ସେଠାରେ ୧୦୮ ଆମ୍ବୁଲାନ୍ସ ଅପେକ୍ଷା କରିଥିଲା। ଆମ୍ବୁଲାନ୍ସରେ ସଙ୍ଗେ ସଙ୍ଗେ ଚିତ୍ରକୋଣ୍ଡା ଡାକ୍ତରଖାନାକୁ ଅଣାଯାଇ ଥିଲା। ଡାକ୍ତରଖାନାରେ ତାଙ୍କର ରକ୍ତ ପରୀକ୍ଷା କରିବାରୁ ସବିତାଙ୍କୁ ମ୍ୟାଲେରିଆ ଜ୍ୱର ହୋଇଥିବା ଜଣାପଡିଥିଲା। ତେବେ ବର୍ତମାନ ମହିଳା ଜଣଙ୍କ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ପ୍ରତି ୫ ବର୍ଷରେ ସରକାର ବଦଳୁଛି,ବଦଳଛନ୍ତି ପ୍ରଶାସନିକ ଅଧିକାରୀ ହେଲେ ବଦଳୁ ନାହିଁ ମାଲକାନଗିରି ଜିଲ୍ଲାର ଭାଗ୍ୟ। ଜିଲ୍ଲାରେ ଏବେ ମଧ୍ୟ ଏମିତି ଅନେକ ଅଞ୍ଚଳ ରହିଛି, ଯେଉଁଠି ଆମ୍ବୁଲାନ୍ସ ପହଁଞ୍ଚିବା ଅସମ୍ଭବ। ତେବେ କେବେ ଅପହଞ୍ଚ ଇଲାକାର ଚିତ୍ର ବଦଳୁଛି ଦେଖିବାକୁ ବାକି ରହିଲା।