
ମାଲକାନଗିରି:ନିରଞ୍ଜନ ମଲ୍ଲ (କ୍ରୋନିକ ଓଡ଼ିଶା) ଆଧାର କାର୍ଡ ସଂଶୋଧନ କରି ପାରୁନାହାଁନ୍ତି ଛାତ୍ରଛାତ୍ରୀ।ଚିନ୍ତାରେ ଅବିଭାବକ ମହଲ।ସାରା ରାଜ୍ୟରେ ଆସନ୍ତା ଫେବୃୟାରୀ ୨୧ ତାରିଖରେ ମାଟ୍ରିକ ପରୀକ୍ଷା ହେବାକୁ ଯାଉଛି। ସେଥିପାଇଁ ପ୍ରତ୍ୟେକ ଜିଲ୍ଲା ପ୍ରଶାସନ ବିଭିନ୍ନ ସ୍ତରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।ମାଲକାନଗିରି ଜିଲ୍ଲାର ୮ ହଜାରରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଯାଉଛି ଚଳିତ ମାସ ୨୧ ରେ ହେବାକୁ ଥିବା ମାଟ୍ରିକ ପରୀକ୍ଷା। ମାଲକାନଗିରି ଜିଲ୍ଲା ପ୍ରଶାସନ ପରୀକ୍ଷା ପାଇଁ ସବୁ ପ୍ରକାର ପ୍ରସ୍ତୁତି ସାରିଥିବା ବେଳେ କିନ୍ତୁ ଛାତ୍ରଛାତ୍ରୀ ମାନଙ୍କ ଆପାର ଆଇଡି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଏଭଳି ଏକ ଗୁରୁତ୍ତ୍ୱପୂର୍ଣ ଦିଗକୁ ଜିଲ୍ଲା ପ୍ରଶାସନ ଅଣଦେଖା କରିବା କେତେଦୂର ଯୁକ୍ତିଯୁକ୍ତ।କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କ ଆପାର ଆଇଡି କରାଯିବା ବାଧ୍ୟତାମୂଳକ କରାଯାଇଛି। ଜାତୀୟ କ୍ରେଡିଟ ଏବଂ ଯୋଗ୍ୟତା ଢାଞ୍ଚା ଶୈକ୍ଷିକ ସ୍ତରରେ ଅବାଧ ଗତିଶୀଳତାକୁ ସହଜ କରିବା ପାଇଁ ଏହା ଏକ ପ୍ରମୁଖ ଢାଞ୍ଚା ଭାବରେ ଉଭା ହୋଇଛି। ଜାତୀୟ ଶିକ୍ଷା ନୀତି ୨୦୨୦(ଏନଇପି) ଏବଂ ଜାତୀୟ କ୍ରେଡିଟ ଫ୍ରେମଓ୍ବର୍କ(ଏନସିଆରଏଫ)ସହିତ ସମନ୍ୱୟ ରଖି ସ୍ୱୟଂଚାଳିତ ସ୍ଥାୟୀ ଏକାଡେମିକ ଆକାଉଣ୍ଟ ରେଜିଷ୍ଟ୍ରି (ଆପାର ଆଇଡି)ଏକ ଗୁରୁତ୍ତ୍ୱପୂର୍ଣ ଉପାଦାନ ଭାବରେ ପ୍ରଚଳିତ କରାଯାଇଛି।ଆପାର ଆଇଡି “ଏକ ରାଷ୍ଟ୍ର ,ଏକ ଛାତ୍ର ପରିଚୟପତ୍ର”ର ଏକୀକୃତ ଏବଂ ସୁଲଭ ଶୈକ୍ଷିକ ଅଭିଜ୍ଞତାକୁ ସୁନିଶ୍ଚିତ କରିବ।ଆପାର ଆଇଡି ସାରା ଜୀବନ ପାଇଁ ପାସପୋର୍ଟ ଭାବରେ କାର୍ଯ୍ୟ କରିବ ଯାହା ଜଣେ ଛାତ୍ରର ସମସ୍ତ ଶିକ୍ଷାଗତ ଯୋଗ୍ୟତା ଏବଂ ଉପଲବ୍ଧିକୁ ଗୋଟିଏ ସ୍ଥାନରେ ସଂରକ୍ଷିତ କରି ରଖାଯାଇପାରିବ।ଆପାର ଆଇଡି ପ୍ରତ୍ୟେକ ଛାତ୍ରଙ୍କୁ ଏକ ଅନନ୍ୟ ଏବଂ ସ୍ଥାୟୀ ୧୨-ଅଙ୍କ ବିଶିଷ୍ଟ ପରିଚୟପତ୍ର ପ୍ରଦାନ କରିଥାଏ। ଯାହା ସମସ୍ତ ଡିଗ୍ରୀ, ଛାତ୍ରବୃତ୍ତି, ପୁରସ୍କାର ଏବଂ ଅନ୍ୟାନ୍ୟ ଉପଲବ୍ଧି ସମେତ ଶିକ୍ଷାଗତ ସଫଳତା ଭଳି ବ୍ୟାପକ ରେକର୍ଡ ସବୁ ଏଥିରେ ରହିଥାଏ। ଆପାର ଆଇଡି ଏକ ଗୁରୁତ୍ତ୍ୱପୂର୍ଣ ପରିଚୟପତ୍ର।ଏଣୁ ଏହାକୁ ସମସ୍ତ ଛାତ୍ରଛାତ୍ରୀ ମାନେ କରିବା ବାଧ୍ୟତାମୂଳକ କିନ୍ତୁ ଦୀର୍ଘ ଦିନ ଧରି ଆଧାର ଓ୍ବେବସାଇଟ ଅଚଳ ହୋଇ ରହିଥିବାରୁ ଛାତ୍ରଛାତ୍ରୀ ମାନେ ଏଥିରୁ ବଞ୍ଚିତ ହେଉଛନ୍ତି।ଏ ସମ୍ପର୍କରେ ଭାରାପ୍ରାପ୍ତ ଶିକ୍ଷାଧିକାରୀ ଉମା ପ୍ରସାଦ ଦାଶଙ୍କୁ ପଚାରିବାରୁ,ଏହା ଏକ ଗୁରୁତ୍ତ୍ୱପୂର୍ଣ ପ୍ରସଙ୍ଗ।ଏ ବିଷୟରେ ଜିଲ୍ଲାପାଳଙ୍କ ଆଲୋଚନା କରି ଉଚିତ ପଦକ୍ଷେପ ନିଆଯିବ ବୋଲି କହିଥିଲେ।ଏକ ସୂତ୍ରରୁ ଜଣାପଡ଼ିଛି କି ସବୁ ଜିଲ୍ଲାରେ ଏପର୍ଯ୍ୟନ୍ତ ୩୦ ପ୍ରତିଶତ ଛାତ୍ରଛାତ୍ରୀ ଆପାର ଆଇଡି କରିବାରେ ସଫଳ ହୋଇଥିବା ଆଶଙ୍କା କରାଯାଉଛି। ପ୍ରତ୍ୟେକ ଜିଲ୍ଲାରେ ଏଭଳି ଅନେକ ଛାତ୍ରଛାତ୍ରୀ ଆଧାର କାର୍ଡ ସଂଶୋଧନ କରି ପାରିନାହାଁନ୍ତି। ଯାହା ଆଗାମୀ ଦିନରେ ଛାତ୍ରଛାତ୍ରୀ ମାନଙ୍କୁ ଅସୁବିଧାରେ ପକେଇବା ଆଶଙ୍କା ରହିଛି।ପିଲା ମାନଙ୍କ ଭବିଷ୍ୟତକୁ ନେଇ ଅବିଭାବକ ଏବେ ଚିନ୍ତାରେ ଥିବା ବେଳେ ଆଧାର କାର୍ଡ ସଂଶୋଧନ ସମୟ ସୀମା ବଢେଇବା ପାଇଁ ଦାବି ହୋଇଛି।