
ମାଲକାନଗିରି(କ୍ରୋନିକ ଓଡ଼ିଶା)ଜଙ୍ଗଲ ସମ୍ପଦର ସୁରକ୍ଷା, ବନୀକାରଣ, ଉଜୁଡା ଜଙ୍ଗଲର ପୁନରୁଦ୍ଧାର, ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ ବନ ବିଭାଗ କାର୍ଯ୍ୟ କରୁଥିବା ବେଳେ କିନ୍ତୁ କିଛି ଚୋରା କାଠ ବ୍ୟବସାୟୀ ବନ ବିଭାଗର ଆଖିରେ ଧୂଳି ଦେଇ ସ୍ଥାନୀୟ ଅଞ୍ଚଳରୁ ବହୁ ମୂଲ୍ୟବାନ ଶାଗୁଆନ, ଶିଶୁ ଭଳି ଗଛ କାଟି ଚୋରାଚାଲାଣ କରୁଛନ୍ତି। ଫଳରେ ସବୁଜିମା ନଷ୍ଟ ହେବାରେ ଲାଗିଛି। ତେବେ ଜଙ୍ଗଲରେ ହେଉଥିବା କାଠ ଚୋରୀକୁ ରୋକିବା ପାଇଁ ବାଲିମେଳା ବନାଞ୍ଚକ ଅଧିକାରୀ ଲିପସ୍ମିତା କଅଁରଙ୍କ ନିର୍ଦ୍ଧେଶ କ୍ରମେ ବାଲିମେଳା ଓ ସୋମନାଥପୁର ବନପାଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା କର୍ମଚାରୀ ମାନଙ୍କୁ ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ନିମନ୍ତେ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଚଢ଼ାଉ କରାଯାଇଥିଲା। ଗତ ମଙ୍ଗଳବାର ମଧ୍ୟ ରାତିରେ ସୋମନାଥପୁର ଗ୍ରାମ ଦେଇ ଆନ୍ଧ୍ରପ୍ରଦେଶ ସିଲେରୁ ଅଞ୍ଚଳକୁ ଏକ ଗାଡି ଯୋଗେ ୨୭ ଖଣ୍ଡ ଶିଶୁ କାଠ ଚାଲାଣ କରୁଥିବା ବେଳେ ବାଲିମେଳା ବନ ବିଭାଗ କର୍ମଚାରୀଙ୍କ ହାବୁଡ଼ରେ ପଡିଥଲେ।ଉକ୍ତ ଗାଡ଼ିରେ ଥିବା କାଠକୁ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣଙ୍କୁ ବନ ବିଭାଗ ଦ୍ବାରା ଅଟକ ରଖି ପଚରାଉଚୁରା କରାଯାଇଥିଲା।ଏହି ଘଟଣାରେ ସମୃକ୍ତ ଥବା ସିଲେରୁ ଅଞ୍ଚଳର ଭନ୍ତଲା ରାମା, ପାଙ୍ଗି ରାଜୁ ଓ ଗୋଲାରୀ ତ୍ରିନୋଡାଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଜବତ ହୋଇଥିବା ୨୭ ଖଣ୍ଡ ଶିଶୁ କାଠର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏଥିସହିତ ଆଗାମୀ ଦିନରେ ବାଲିମେଳା ବନାଞ୍ଚଳ ଅଧୀନରେ ଥିବା ବିଭିନ୍ନ ଅଞ୍ଚଳରେ ଏହିଭଳି ଚଢ଼ାଉ ଜାରୀ ରହିବ। ବେଆଇନ ଭାବେ ଜଙ୍ଗଲରୁ ଗଛ କାଟି କାଠ ଚାଲାଣ କରୁଥିବା ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଲିମେଳା ବନାଞ୍ଚଳ ଅଧିକାରୀ ଲିପସ୍ମିତା କଅଁର କହିଛନ୍ତି।