
ଚିତ୍ରକୋଣ୍ଡା(ପ୍ରକାଶ ଚନ୍ଦ୍ର ସାହୁ)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ପଣସପୁଟ ଏସ ଏସ ଡି ହାଇସ୍କୁଲରେ ବିପଦ ସଙ୍କୁଳ ବିଦ୍ୟାଳୟ ଗୃହରେ ଚାଲିଛି କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଗଢା। କେନ୍ଦ୍ର ତଥା ରାଜ୍ୟରେ ଶିକ୍ଷାର ବିକାଶ ନିମନ୍ତେ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ମାନ କରୁଛନ୍ତି। ତେବେ ରାଜ୍ୟ ସରକାରଙ୍କ ଏତେ ଯୋଜନା ସତ୍ତ୍ୱେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଏଭଳି ବିଦ୍ୟାଳୟ ଅଛି ଯେଉଁଠି ଛାତ୍ରଛାତ୍ରୀଙ୍କ ପାଠପଢା ଏବଂ ଛାତ୍ରାବାସରେ ଦେଖିବାକୁ ମିଳୁଛି ଘୋର ଅବ୍ୟବସ୍ଥା। ସାମାନ୍ୟ ବର୍ଷାରେ ପଣସପୁଟ ଏସ ଏସ ଡି ହାଇସ୍କୁଲର ଛାତ୍ରାବାସ ଛାତରୁ ଝରଣା ଭଳି ପାଣି ଝରୁଛି। ଫଳରେ ଛାତ୍ରଛାତ୍ରୀ ମାନେ ଶୋଇବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚାରି ମାସ ପୂର୍ବରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ଛାତ୍ରାବାସଟି ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ଏହିପରି ଅସୁବିଧା ହେଉଛି ବୋଲି ଅଭିଯୋଗ କରିଛନ୍ତି ଅନ୍ତେବାସୀ। କେବଳ ସେତିକି ନୁହେଁ ଦୁଇ ବର୍ଷ ପୂର୍ବରୁ ୫ଟି ମାଧ୍ୟମରେ ନିର୍ମାଣ ହୋଇଥିବା ସ୍କୁଲ ଛାତରୁ ମଧ୍ୟ ଅହରହ ପାଣି ଗଳୁଛି। ନୂତନ ଭାବେ ନିର୍ମିତ ଶ୍ରେଣୀ ଗୃହ ଉପରେ ଜରି ପାଲ ପକେଇବା ପାଇଁ ପଡୁଛି।ଦୂର ଦୂରାନ୍ତରୁ ଘର ଛାଡ଼ି ପିଲାମାନେ ଛାତ୍ରାବାସରେ ରହି ପାଠ ପଢି ନିଜ ଭବିଷ୍ୟତ ଗଢ଼ିବାକୁ ଆସିଥିବା ବେଳେ ଏଠାରେ ପ୍ରତିଦିନ ଅସୁବିଧା ସହ ସଂଘର୍ଷ କରୁଥିବା ପରିଲକ୍ଷିତ ହେଉଛି । ଏହି ସମସ୍ୟାର ସମାଧାନ କରା ନ ଗଲେ ଛାତ୍ରାବାସ ଛାଡିବାକୁ ବାଧ୍ୟ ହେବୁ କହିଛନ୍ତି ଛାତ୍ରମାନେ। ଦୀର୍ଘ ଦିନରୁ ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି ଏଠାକାର ଶୌଚାଳୟ। ଛାତ୍ରମାନେ ବାଧ୍ୟ ହୋଇ ପାଖ ଜଙ୍ଗଲକୁ ଯାଉଛନ୍ତି ଶୌଚ ହେବା ପାଇଁ। ବିଭିନ୍ନ ବନ୍ୟଜନ୍ତୁଙ୍କ ଭୟ ରହୁଥିବା ବେଳେ ପ୍ରତି ଦିନ ବିଷଧର ସାପର ସାମ୍ନା ମଧ୍ୟ କରିବାକୁ ପଡୁଛି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ସ୍ଥାନୀୟ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଥିବା ବେଳେ ଛାତରୁ ପାଣି ଗଳିଲେ ରାତି ସାରା ଅନିଦ୍ରା ରହୁଛନ୍ତି ଅନ୍ତେବାସୀ।ଯାହା ଛାତ୍ରଛାତ୍ରୀ ମାନଙ୍କ ପାଇଁ ପାଠପଢାରେ ପ୍ରତିବନ୍ଧକ ସୃଷ୍ଟି ହେଉଥିବା ପରିଲକ୍ଷିତ ହେଉଛି।ଶିକ୍ଷାର ମାନ ବୃଦ୍ଧି ପାଇଁ ବିଭିନ୍ନ ଯୋଜନା କରାଯାଉଛି କିନ୍ତୁ ସଠିକ ତଦାରଖ ବିନା ଅପହଞ୍ଚ ହେଉଛି ଛାତ୍ରଙ୍କ ପାଖରେ। ନିମ୍ନ ମାନର କାର୍ଯ୍ୟ କରି ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ସାହୁକାର ସାଜୁଥିବା ବେଳେ ଶିକ୍ଷା କ୍ଷେତ୍ରରୁ ବାଦ ପଡୁଛନ୍ତି ନିରୀହ ଆଦିବାସୀ ଛାତ୍ରଛାତ୍ରୀ। ଏଣୁ ପଣସପୁଟ ଏସ ଏସ ଡି ହାଇସ୍କୁଲର ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲା ପ୍ରଶାସନଙ୍କୁ ଗୁହାରି କରିଛନ୍ତି କୁନି କୁନି ଛାତ୍ରଛାତ୍ରୀ। ତେବେ ଅପହଞ୍ଚ ଏବଂ ଦୁର୍ଗମ ପଣସପୁଟ ଏସ ଏସ ଡି ହାଇସ୍କୁଲର ସମସ୍ୟାର ସମାଧାନ କେବେ ହେଉଛି ତାହା ଦେଖିବାକୁ ବାକି ରହିଲା।