
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ରାଲେଗଡା ପଞ୍ଚାୟତରେ ଏବେ ବି ଅପହଞ୍ଚ ମୌଳିକ ସୁବିଧା ସୁଯୋଗ।। ଅଲୋଡ଼ା ହୋଇଛି ସୀମାନ୍ତ ତିନି ଗାଁ ଶିକଟପଲ୍ଲୀ , ଯାଜପାଲାମ , ଚିନ୍ତାଲପାହାଡ଼। ଏହି ଗାଁରେ ସ୍ବାଧୀନତାର ୭୮ ବର୍ଷ ପରେ ମଧ୍ୟ ପ୍ରଶାସନର ଦୃଷ୍ଟି ପଡ଼ିନାହିଁ। ଗୁରୁପ୍ରିୟା ସେତୁ ନିର୍ମାଣ ପରେ ବିଚ୍ଛିନ୍ନାଞ୍ଚଳ ସ୍ବାଭିମାନ ଅଞ୍ଚଳ ହେଲ।ରାଜ୍ୟ ସରକାର ଏହି ଅଞ୍ଚଳର ବିକାଶ ପାଇଁ ଶହ ଶହ କୋଟିର କାର୍ଯ୍ୟ କରିଛନ୍ତି କିନ୍ତୁ ଚିତ୍ରକୋଣ୍ଡା ବ୍ଲକ ରାଲେଗାଡା ପଂଚାୟତରେ ଏଭଳି ତିନୋଟି ଗାଁ ଯେଉଁଠି ବିକାଶ ଆସିବାର ରାସ୍ତା ଭୁଲି ଯାଇଛି।ରାଲେଗଡା ପଞ୍ଚାୟତ ଠାରୁ ଛଅରୁ ସାତ କିମି ଦୂର ଆନ୍ଧ୍ର ଓଡିଶା ସୀମାନ୍ତ ଗାଁ ଗୁଡିକ ଆଜି ମଧ୍ୟ ଅବହେଳିତ। ଶିକ୍ଷା, ସ୍ଵାସ୍ତ୍ୟ, ଗମନାଗମନ, ପାନୀୟଜଳ ଭଳି ମୌଳିକ ସୁବିଧା ସୁଯୋଗ ଠାରୁ କୋଷ ଦୂରରେ ଏହି ତିନି ଗାଁ। ଗାଁକୁ ନାହିଁ ପକ୍କା ରାସ୍ତା ନା ଅଛି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା, ପାନୀୟ ଜଳ କଥା କହିଲେ ନସରେ। ତିନି ଗାଁର ଶୋଷ ମେଣ୍ଟାଉଛି ଝରଣା , ଚୁଆର ପାଣି। ଦୁଇ ଗାଁରେ ବିଜୁଳି ଥିବା ବେଳେ ଶିକଟପଲ୍ଲୀ ଗ୍ରାମବାସୀ ବିଜୁଳି ଆଲୋକ ଏପର୍ଯ୍ୟନ୍ତ ଦେଖି ନାହାଁନ୍ତି। ଏହି ତିନି ଗାଁରେ ପଚାଶରୁ ଷାଠିଏ ପରିବାର ବାସ କରନ୍ତି।ଗାଁରେ ସ୍କୁଲ ନଥିବାରୁ ଗାଁରେ କୁନିକୁନି ପିଲାମାନେ ପାହାଡିଆ ରାସ୍ତାରେ ନାଳ ଡେଇଁ ଦୀର୍ଘ ତିନି କିଲୋମିଟର ଦୂରରେ ଥିବା ତାଟିପାର ଗାଁକୁ ପଠା ପଢିବା ପାଇଁ ଯାଇଥାନ୍ତି।ବର୍ଷକର ଆଠ ମାସ ଯେମିତି ସେମିତି ନିଜକୁ ଚଳେଇ ନେଇଥାନ୍ତି ଏହି ତିନି ଗ୍ରାମବାସୀ କିନ୍ତୁ ବର୍ଷା ଚାରିମାସରେ ଯେମିତି ସମସ୍ୟାର ପାହାଡ଼ କବଳିତ କରେ ଏହି ଗ୍ରାମ ଗୁଡିକ ଉପରେ। ବର୍ଷା ଯୋଗୁଁ ପାହାଡ଼ରୁ ପାଣି ଖସି ରାସ୍ତାର ବିଭିନ୍ନ ସ୍ଥାନରେ ଝରଣା ସୃଷ୍ଟି ହୋଇ ଯାଇଥାଏ। ଗାଁକୁ ମୋଟର ସାଇକେଲ ଆସିବା କଷ୍ଟକର ହୋଇଥାଏ।ଗତ କିଛି ଦିନ ତଳେ ହୋଇଥିବା ଲଗାଣ ବର୍ଷାରେ ପଞ୍ଚାୟତ, ବ୍ଲକ, ଓ ଜିଲ୍ଲା ଠାରୁ ସମ୍ପୂର୍ଣ ବିଛିନ୍ନ ହୋଇ ରହିଛନ୍ତି ଏହି ତିନି ଗ୍ରାମବାସୀ। ବର୍ଷାରେ ଶିକଟପଲ୍ଲୀ ଗ୍ରାମ ନିକଟରେ ଥିବା ରାସ୍ତାରେ ଝରଣା ପାଣି ପ୍ରଭାବିତ ହୋଇ ବିରାଟ ନାଳ ସୃଷ୍ଟି ହୋଇଥିବାରୁ ଗତ କିଛିଦିନ ହେବ ତିନି ଗ୍ରାମ ପଞ୍ଚାୟତରୁ ବିଛିନ୍ନ ହୋଇ ରହିଥିଲା।ଦୀର୍ଘଦିନ ବିଛିନ୍ନ ହୋଇ ରହିବାପରେ ପ୍ରଶାସନ ତରଫରୁ କୌଣସି ବ୍ୟବସ୍ଥା ନହେବାରୁ ଶେଷରେ ତିନି ଗ୍ରାମବାସୀ ଗତକାଲି ନିଜ ଖର୍ଚ୍ଚରେ ନିଜେ ଏକ ଅସ୍ଥାୟୀ ବାଉଁଶ ପୋଲ ନିର୍ମାଣ କରିଛନ୍ତି।ଗ୍ରାମବାସୀଙ୍କ ଉଦ୍ୟମକୁ ସରପଞ୍ଚ ପ୍ରଶଂସା କରିଥିବା ବେଳେ ନିରବଦ୍ରଷ୍ଟା ସାଜିଛି ସ୍ଥାନୀୟ ପ୍ରଶାସନ।ଏହି ଗ୍ରାମ ଗୁଡିକର ସମସ୍ୟା ସମ୍ପର୍କରେ ପ୍ରଶାସନ ଅଧିକାରୀଙ୍କ ନିକଟରେ ଗୁହାରି କଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି କହିଛନ୍ତି ଗ୍ରାମବାସୀ।ଗରିବ କଲ୍ୟାଣ ପାଇଁ ସରକାର ମାଳ ମାଳ ଯୋଜନା କରିଛନ୍ତି , କିନ୍ତୁ ସ୍ଵାସ୍ତ୍ୟ, ପାନୀୟଜଳ, ଶିକ୍ଷା, ଗମନାଗମନ ଭଳି ମୌଳିକ ସୁବିଧା ସୁଯୋଗ ଆଜି ପର୍ଯ୍ୟନ୍ତ ଏହି ଗାଁକୁ ନ ପହଁଞ୍ଚିବା ଜନ ପ୍ରତିନିଧି ଓ ସ୍ଥାନୀୟ ପ୍ରଶାସନର ପାରିବାପଣିଆ ଉପରେ ପ୍ରଶ୍ନ ସୃଷ୍ଟି କରିଛି। ତେବେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ଆବଶ୍ୟକ ବୋଲି କହିଛନ୍ତି ଏହି ତିନି ଗ୍ରାମବାସୀ।