
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ପୁଲିସ ଏବଂ ଜୈତାଲୁର କ୍ୟାମ୍ପର ବାଟାଲିୟନ-୧୩ ସଶସ୍ତ୍ର ବାହିନୀ ଯବାନଙ୍କ ମିଳିତ ଟିମ ଗୋରନା ମାନକେଲି ଅଭିମୁଖେ ଏରିଆ ଡୋମିନେସନ ଏବଂ ଡିମାଇନିଂ ପାଇଁ ବାହାରିଥିଲେ। ସୋମବାର ଦିନ ମାଓ ବିରୋଧୀ ଅଭିଯାନରେ ଯାଇଥିବା ଯବାନଙ୍କୁ କ୍ଷତି ପହଞ୍ଚାଇବା ଉଦେଶ୍ୟରେ ମାନକେଲି ଗାଁ ନିକଟସ୍ଥ କଚ୍ଚା ରାସ୍ତାରେ ନକ୍ସଲମାନେ ଖଞ୍ଜିଥିବା ୫ ଆଇଇଡିକୁ ଯବାନ ଠାବ କରିବା ସହ ଘଟଣା ସ୍ଥଳରେ ସୁରକ୍ଷିତ ଭାବରେ ନିଷ୍କ୍ରିୟ କରିଛନ୍ତି।ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ନକ୍ସଲମାନେ ଗୋରନା ମାନକେଲି କଚା ରାସ୍ତାରେ ଦୁଇରୁ ପାଞ୍ଚ ମିଟର ଦୂରତା ମଧ୍ୟରେ ୨ କିଲୋଗ୍ରାମ ଓଜନର ୩ ଟି ବିୟର ବୋତଲ ବୋମା ଏବଂ ତିନିରୁ ପାଞ୍ଚ ମିଟର ଦୂରତା ମଧ୍ୟରେ ୨ ଟି ଟିଫିନ ବୋମା ସିରିଜରେ ଖଞ୍ଜିଥିଲେ। ଯାହା ଏକ କମାଣ୍ଡ ସ୍ୱିଚ୍ ସହିତ ସଂଯୋଗ ହୋଇଥିଲା।ବିଜାପୁର ଜିଲ୍ଲା ବିଡିଏସ ଦଳ ଘଟଣା ସ୍ଥଳରେ ବିସ୍ଫୋରଣ କରି ଆଇଇଡିକୁ ସୁରକ୍ଷିତ ଭାବରେ ନଷ୍ଟ କରିଦେଇଥିଲେ। ସୁରକ୍ଷା ବାହିନୀର ସତର୍କତା ଏବଂ ଉପସ୍ଥିତି ବୁଦ୍ଧି ଯୋଗୁଁ ଆଇଇଡି ଗୁଡିକୁ ଠାବ ପରେ ନିଷ୍କ୍ରିୟ କରି ନକ୍ସଲପନ୍ଥିଙ୍କ ଘୃଣ୍ୟ ଯୋଜନାକୁ ବିଫଳ କରିବାରେ ସଫଳ ହୋଇଛନ୍ତି।