
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲା ଗଙ୍ଗାଲୁର ଥାନା ଅଞ୍ଚଳରେ ଶୁକ୍ରବାର ସକାଳେ ସୁରକ୍ଷାବାହିନୀର ସତର୍କତା ଏବଂ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଧରଣର ଅଘଟଣକୁ ଏଡାଇ ପାରିଛନ୍ତି। ସୁରକ୍ଷାବାହିନୀକୁ ଟାର୍ଗେଟ କରି ପାଇଁ ମାଓବାଦୀମାନେ ଯେଉଁ ୪୫ କିଗ୍ରା ଆଇଇଡି ଯବାନଙ୍କ ଯିବା ରାସ୍ତାରେ ଖଞ୍ଜିଥିଲେ। ତାହା ସଠିକ ସମୟରେ ଯବାନମାନେ ଠାବ କରି ନିଷ୍କ୍ରିୟ କରିଛନ୍ତି।କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ ବାଟାଲିୟନ ନଂ ୨୨୨ର ଯବାନ ମାନେ ପାଲାନାର ଶିବିରରୁ ଏରିଆ ଡୋମିନେସନ୍ ଡ୍ୟୁଟି ପାଇଁ ବାହାରିଥିଲା। ଯବାନମାନେ ସକାଳ ୮:୦୦ ରୁ ୮:୩୦ ସମୟ ମଧ୍ୟରେ ଚେରପାଲ – ପାଲାନାର ରାସ୍ତା ଦେଇ ଫେରୁଥିବା ବେଳେ ଚେରପାଲ ଠାରୁ ପ୍ରାୟ ୨ କିଲୋମିଟର ଦୂରରେ ରାସ୍ତା କଡରେ ସନ୍ଦେହଜନକ କିଛି ଦେଖିବାକୁ ମିଳିଥିଲା। ସତର୍କ ହୋଇ ଯବାନ ମାନେ ଅଞ୍ଚଳକୁ ଯାଞ୍ଚ କରି ବିସ୍ଫୋରକ ସାମଗ୍ରୀର ସଠିକ ଠିକଣା ଚିହ୍ନଟ କରିଥିଲେ।ଆଇଇଡିଟି ଅତ୍ୟନ୍ତ ଶକ୍ତିଶାଳୀ ଥିଲା।ଏହା ଏକ କମାଣ୍ଡ ସ୍ୱିଚ୍ ସହିତ ସଂଯୁକ୍ତ ଥିଲା।ଉଦ୍ଧାର ହୋଇଥିବା ଆଇଇଡି ସୁରକ୍ଷା ବାହିନୀର ଗାଡ଼ିକୁ ଟାର୍ଗେଟ କରିବା ଲକ୍ଷ୍ୟରେ ମାଓବାଦୀମାନେ ପ୍ଲାଣ୍ଟ କରିଥିଲେ।ଏହି ଆଇଇଡି ଏକ କମାଣ୍ଡ ସ୍ୱିଚ୍ ସିଷ୍ଟମ ସହିତ ଯୋଡ଼ା ହୋଇଥିଲା। ଯାହାର ସ୍ୱିଚ୍ ପ୍ରାୟ ୧୫୦ ମିଟର ଦୂରରେ ଲୁଚାଇ ରଖାଯାଇଥିଲା। ସୁରକ୍ଷାବାହିନୀର ଯେକୌଣସି ଯାନବାହନ ସେହି ବାଟ ଦେଇ ଯିବା ବେଳେ ଏହି ଆଇଇଡିକୁ ବିସ୍ଫୋରଣ କରିବା ସହଜ ହୋଇଥାନ୍ତା।
ଆଇଇଡି ମିଳିବା ସମ୍ପର୍କରେ ସୂଚନା ପାଇବା ପରେ, ବିଜାପୁର ଜିଲ୍ଲାର ବୋମା ନିଷ୍କ୍ରିୟକାରୀ ଦଳ (ବିଡିଏସ୍) ଏବଂ ସିଆରପିଏଫ ବାଟାଲିୟନ ନଂ ୨୨୨ର ବୋମା ନିରୋଧି ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସତର୍କତାର ସହ ତଦନ୍ତ ଏବଂ ରଣନୀତି ପରେ ସେହି ଶକ୍ତିଶାଳୀ ଆଇଇଡିକୁ ସୁରକ୍ଷିତ ଭାବରେ ନିଷ୍କ୍ରିୟ କରିଛନ୍ତି।