
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ଆଜି ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ମାଲକାନଗିରିରେ ‘ଓଡ଼ିଆ ଭାଷା ପରିଚିତି’ ଶିର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଓଡ଼ିଆ ବିଭାଗର ପ୍ରାକ୍ତନ ବିଭାଗ ମୁଖ୍ୟ ପ୍ରଫେସର ନଟବର ଶତପଥୀ ଯୋଗଦେଇ ଓଡ଼ିଆ ଭାଷାର ସ୍ୱତନ୍ତ୍ରତା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସେହିପରି ରେଭେନ୍ସା ବିଶ୍ୱବିଦ୍ୟାଳୟ, ଭାଷା-ପ୍ରଯୁକ୍ତି ବିଜ୍ଞାନ କେନ୍ଦ୍ରର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ଗିରୀଶ ଚନ୍ଦ୍ର ମିଶ୍ର ଏହି ସଭାରେ ଯୋଗ ଦେଇ ସାଂପ୍ରତିକ ସମୟରେ ଓଡ଼ିଆ ଭାଷାର ସ୍ଥିତି ଓ ଗତି ସଂପର୍କରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବରେ ସରକାରୀ ସ୍ନାତକ ମହାବିଦ୍ୟାଳୟ, ଚିତ୍ରକୋଣ୍ଡା ଭାରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ଚିନ୍ମୟ କୁମାର ବେହେରା ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ମୁଖପତ୍ର ‘ଉତ୍ତରଣ’ର ପ୍ରଥମ ସଂଖ୍ୟା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା। ଆଲୋଚନା ଚକ୍ରରେ ଗଣିତ ବିଭାଗର ମୁଖ୍ୟ ଡକ୍ଟର ସୂର୍ଯ୍ୟକାନ୍ତ ପାଲ୍ ସଭାପତିତ୍ୱ କରିଥିବା ବେଳେ ଓଡ଼ିଆ ବିଭାଗର ମୁଖ୍ୟ ଡକ୍ଟର ଗୌତମସେନ୍ ହାଁସଦା ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଡକ୍ଟର ଚିନ୍ମୟ ମହାନନ୍ଦ ଉତ୍ତରଣ ପତ୍ରିକା ପ୍ରକାଶନର ପୃଷ୍ଠଭୂମି ସଂପର୍କରେ ସମ୍ୟକ ଧାରଣା ପ୍ରଦାନ କରିଥିଲେ। ଏହି ସଭାରେ ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ଡକ୍ଟର ଦୀନବନ୍ଧୁ ସାହୁ, ପ୍ରାଣୀ ବିଭାଗ ମୁଖ୍ୟ ଡକ୍ଟର ରତ୍ନାକର ପରିଡ଼ାଙ୍କ ସମେତ ଅଧ୍ୟାପକ ପ୍ରୀତମ୍ ମହଲା, ଗୁରୁ ପ୍ରସାଦ ଲେଙ୍କା, ବଙ୍କିମ୍ ସିଲ୍, ସୁରଜ ମିସ୍ତ୍ରୀ, ପରେଶ ସରକାର, ପ୍ରତାପ ଶବର ଅଧ୍ୟାପିକା ଚିନ୍ମୟୀ ମହାରଣା, ରଶ୍ମିତା ନନ୍ଦ, ସମୀକ୍ଷା ସୁନ୍ଦର୍ରାୟ, ଇପ୍ସିତା ପ୍ରିୟଦର୍ଶିନୀ, ହରପ୍ରିୟା ଖେମୁଡୁ ଚମ୍ପା ମଣ୍ଡଳ, ମାଧବୀ ମଣ୍ଡଳ, ଜୟନ୍ତୀ ମାଢୀ, ମଧୁସ୍ମିତା ମେଦିନିରା, ମହୁଆ ଦାସଙ୍କ ସମେତ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। ସଭା ଶେଷରେ ଓଡ଼ିଆ ବିଭାଗ ଅଧ୍ୟାପକ ଡକ୍ଟର କମଳ ମାହୁନ୍ତ ଧନ୍ୟବାଦ ଅର୍ପଣ କରିବା ସହ ସଭା ସାଙ୍ଗ କରିଥିଲେ ।