୧୫ ବର୍ଷ ପୋଲ ଦାବି ଶୁଣିଲେନି ସରକାର ; ତିନି ଗାଁ ଲୋକ ନିର୍ମାଣ କଲେ ଅସ୍ଥାୟୀ ବାଉଁଶ ପୋଲ।

ସରକାର ନିଶ୍ଚିତ ଘୋର ଲଜ୍ଜିତ ହୋଇଥାଏ ସେତେବେଳେ , ଯେତେବେଳେ ଲୋକଙ୍କ ସମସ୍ୟା ନିଜେ ଲୋକମାନେ ସମାଧାନ କରୁଛନ୍ତି। ସ୍ବାଧିନତାର ୭୭ ବର୍ଷ ପରେ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଯଦି ଲୋକଙ୍କ ସମସ୍ୟା ସମାଧାନ କରି ପାରୁନାହାଁନ୍ତି ତେବେ ଏହା ଠାରୁ ବିଡ଼ମ୍ବନାର ବିଷୟ ଆଉ କିଛି ନାହିଁ। ଦୀର୍ଘ ୧୫ ବର୍ଷ ଧରି ଗ୍ରାମବାସୀ ମାନେ ଏକ ପୋଲ ପାଇଁ ଦାବି କରିଆସୁଥିଲେ କିନ୍ତୁ ନା ଶୁଣିଲେ ସରକାର ନା ଜିଲ୍ଲା ପ୍ରଶାସନ। ଶେଷରେ ବାଧ୍ୟ ହୋଇ ଅସ୍ଥାୟୀ ପୋଲ ନିର୍ମାଣ କଲେ ତିନି ଗ୍ରାମବାସୀ ମିଶି। ମାଲକାନଗିରି ସୀମାନ୍ତ ଛତିଶଗଡ କାଙ୍କେର ଜିଲ୍ଲାର ଭାନୁପ୍ରତାପପୁର ବ୍ଲକର ପାର୍ବି ଗାଁ ଠାରୁ ଖଡକା ଗାଁ ମଧ୍ୟରେ ମଙ୍ଗରା ନାଳ ନିକଟରେ ଆଉ ଦୁଇଟି ନାଳ ରହିଛି।ଏହି ଅଞ୍ଚଳର ଅଧ ଡର୍ଜନରୁ ଅଧିକ ଗାଁର ଲୋକମାନେ ଗତ ୧୫ ବର୍ଷ ଧରି ଏହି ନାଳ ଉପରେ ପୋଲ ନିର୍ମାଣ କରିବାକୁ ଦାବି କରିଆସୁଥିଲେ ମଧ୍ୟ ବିଜେପି କିମ୍ବା କଂଗ୍ରେସ ସରକାର ସେମାନଙ୍କ କଥା ଶୁଣିନଥିଲେ। ବାରମ୍ବାର ଚେଷ୍ଟା କରି ଥକିଯିବା ପରେ ସେହି ଅଞ୍ଚଳର ଖଡକା , ଭୁର୍କା ଏବଂ ଜଲହୁର ତିନି ଗାଁର ଗ୍ରାମବାସୀ ଯାତାୟତ ପାଇଁ ଦୁଇ ଦିନ ମଧ୍ୟରେ ବାଉଁଶ ବଲ୍ଲା ବ୍ୟବହାର କରି ଏକ ଅସ୍ଥାୟୀ ପୋଲ ନିର୍ମାଣ କରିଦେଲେ।

ଗ୍ରାମବାସୀ କହିଛନ୍ତି ଯେ ବିଜେପି ଶାସନ କାଳରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡକ୍ଟର ରମଣ ସିଂ ଏହି ପୋଲ ନିର୍ମାଣ ପାଇଁ ସୁନିଶ୍ଚିତ କରିଥିଲେ। ସେତେବେଳେ ବିଜେପି ସରକାର ୧୫ ବର୍ଷ ଧରି ଚାଲିଥିଲା କିନ୍ତୁ ଏ ସେତୁ ନିର୍ମାଣ ହୋଇ ପାରିନଥିଲା‌। ତାପରେ ସରକାର ବଦଳିଲେ ଏବଂ କଂଗ୍ରେସ ସରକାର ଗଠନ ହେଲା, ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ଜୁନ୍ ୨୦୨୩ରେ ଭାନବେଢାରେ ଏକ ସଭାରେ ତିନୋଟି ପୋଲ ନିର୍ମାଣ ପାଇଁ ୧ କୋଟି ୫୭ ଲକ୍ଷ ଟଙ୍କା ଘୋଷଣା କରିଥିଲେ, କିନ୍ତୁ ଫଳାଫଳ ସମାନ..! ସରକାର ବଦଳିଲା କଂଗ୍ରେସ ପରେ ପୁଣି ଥରେ ବିଜେପି ସରକାର ଗଠନ ହେଲା ହେଲେ ଏ ପୋଲ ନିର୍ମାଣ ହୋଇ ପାରିଲା ନାହିଁ। ଏ ଅଞ୍ଚଳରେ ସରକାର ବଦଳୁଛି , ବଦଳୁଛନ୍ତି ଜନପ୍ରତିନିଧି ଆଉ ଜିଲ୍ଲା ପ୍ରଶାସନ କିନ୍ତୁ ଗ୍ରାମବାସୀଙ୍କ ସମସ୍ୟା କେବେବି ବଦଳିବାର ନାଁ ଧରୁନାହିଁ।

ସ୍ଥାନୀୟ ଗ୍ରାମବାସୀ ଗୋକୁଲ ନେତମ କହିଛନ୍ତି ଯେ ବର୍ଷା ମାସରେ ବନ୍ୟା ଯୋଗୁଁ ପିଲାମାନେ ସ୍କୁଲ ଯାଇପାରୁ ନାହାଁନ୍ତି। ରୋଗୀଙ୍କୁ ଡାକ୍ତରଖାନା ନେଇ ହେଉନାହିଁ। ତେଲ , ଲୁଣ ଏବଂ ଚାଉଳ ଆଣିବାକୁ ହେଲେ ନାଳ ପାର ହେବାକୁ ପଡ଼େ। ଏହି ଜଳ ମାର୍ଗ ବ୍ୟତୀତ ଅନ୍ୟ ଏକ ମାର୍ଗ ଅଛି, କିନ୍ତୁ ପଞ୍ଚାୟତ ମୁଖ୍ୟାଳୟ ଦେଇ ଯିବାକୁ ହୁଏ। ରାସନ ଦୋକାନ, ବିଦ୍ୟାଳୟ ପାଇଁ ୧୦ କିମି ଦୂରତା ପାଇଁ ୪୫ କିମି ଯାତ୍ରା କରିବାକୁ ପଡୁଛି। ପୋଲ ନିର୍ମାଣ ପାଇଁ ସରକାରଙ୍କ ଧ୍ୟାନ ଅଭାବରୁ ଏବେ ତିନି ଗାଁର ଲୋକ ଆମେ ନିଜେ ଅଣ୍ଟା ଭିଡିଲୁ। ପୋଲଟି ସ୍ଥାୟୀ ନ ହେଲେ ମଧ୍ୟ ଲୋକଙ୍କ ଯାତାୟତ ଏବଂ ଆବଶ୍ୟକତା ପାଇଁ ଆମେ ଏହି ଅସ୍ଥାୟୀ ପୋଲ ନିର୍ମାଣ କରିଛୁ।

  • Related Posts

    Leave a Reply

    Your email address will not be published. Required fields are marked *

    You cannot copy content of this page