ମାଲକାନଗିରି,(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ମାଲକାନଗିରି – ବାଲିମେଳା ମୁଖ୍ୟ ରାସ୍ତାର ଏମଭି-୩୫ ଛକ ଠାରୁ କଡେଗୁଡା ଗ୍ରାମ ଦେଇ ପୁରୁଣା ଚିତାପାରୀ ଗ୍ରାମ ଛକ କୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନା ର ରାସ୍ତା ପାଲଟିଛି ମରଣଯନ୍ତା। କ୍ରସର ର ଭାରିଯାନ ଦିନରାତି ମାଲ ମେଟାଲ ନେଇ ଯା ଆସ କରିବା ଫଳରେ ରାସ୍ତାରୁ ପିଚୁ ସମ୍ପୂର୍ଣ୍ଣ ଉଠି ଦବି ଯାଇଥିବା ଦେଖିବାକୁ ମିଳୁଛି। ଏନେଇ ବିଗତ ଦିନରେ ଗ୍ରାମବାସୀ କ୍ରସର ସଂସ୍ଥା କୁ ଜଣାଇ ବିରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତେବେ ବାଲିମେଳା ସହରରୁ କୋରୁକୋଣ୍ଡା ଏହି ରାସ୍ତା ଦେଇ ମାତ୍ର ୧୦ କିଲୋମିଟର ବାଟ ହେଉଥିବା ବେଳେ ପାଖ ପଡୁଥିବା ହେତୁ ଦୈନିକ ଜିଲ୍ଲା ସରକାରୀ ବେସରକାରୀ କାର୍ଯ୍ୟାଳୟ ରେ କାର୍ଯ୍ୟ କରୁଥିବା ଲୋକେ ସମେତ ବହୁ ଲୋକ, ବ୍ୟବସାୟୀ ଏବଂ ଆମ୍ବୁଲାନ୍ସ ଏହି ବାଟ ଦେଇ ଯାଆସ କରନ୍ତି। ବାଲିମେଳା ସହରରୁ ବାଲିମେଳା ଛକ ଦେଇ ଏମଭି-୩୭ ହୋଇ ମାଲକାନଗିରି ଯିବା ପରିବର୍ତ୍ତେ ପ୍ରାୟ ୧୧ କିଲୋମିଟର ଦୂରତା କମୁଥିବା ହେତୁ ବାଲିମେଳା ତଥା ଏହାର ଆଖପାଖ ଅଞ୍ଚଳର ଲୋକେ ଏହି କଡେଗୁଡା ରାସ୍ତା ଦେଇ ଏମଭି-୩୫ ଛକ ମୁଖ୍ୟ ରାସ୍ତା କୁ ବାହାରି ଅଳ୍ପ ସମୟ ମଧ୍ୟରେ ମାଲକାନଗିରି ସଦରରେ ପହଂଚିଥାନ୍ତି। ତେବେ ଏହି ନିକଟତମ ରାସ୍ତାର କଡେଗୁଡା ନିକଟରେ ଏକ କ୍ରସର ରହିଛି। ଯେଉଁ କ୍ରସରକୁ ଦିନ ରାତି ଟିପର ହାଇୱା ଭଳି ବଡ଼ ବଡ଼ ଭାରି ଯାନ ଯାତାୟାତ କରୁଥିବା ହେତୁ ୩ କିମି ରାସ୍ତା ନିମନ୍ତେ ଠିକାଦାର ସୀମାଞ୍ଚଳ ବେଉରିଆ ୧ କୋଟି ୩୦ ଲକ୍ଷ ବ୍ୟୟରେ ନିର୍ମାଣ କରିଥିବା ନୂତନ ପ୍ରଧାନମନ୍ତ୍ରୀ ସଡକ ଯୋଜନାର ରାସ୍ତା ଅବସ୍ଥା ବର୍ତ୍ତମାନ ଶୋଚନୀୟ ହୋଇପଡିଛି। ଏମଭି-୩୫ ଛକ ଠାରୁ କଡେଗୁଡା ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ତ ନ କହିବା ଭଲ। କାରଣ ରାସ୍ତା ଦବି ଯେଉଁ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଛି। ସେହି ଖାଲରେ କ୍ରସର ପକ୍ଷରୁ କିଛି କ୍ରସର ଡ଼ଷ୍ଟ ପଡିଛି। ଯାହାଫଳରେ ଯଦି ଗୋଟିଏ ବଡ଼ ଯାନବାହନ ଏହି ରାସ୍ତା ଦେଇ ଗତି କଲେ ଖରାଦିନେ ମଧ୍ୟ ଏହି ଧୂଳି ଧୂସର ଉଡି କୁହୁଡ଼ିର ଭ୍ରମ ସୃଷ୍ଟି ହେଉଛି। ଯାହାଦ୍ୱାରା କିଛି ସମୟ ପାଇଁ ରାସ୍ତା ଭଲ କରି ଦୃଶ୍ୟମାନ ହେଉନାହିଁ। ଏହି ଧୂଳି ଧୂସର ହେତୁ ବାଇକ ଚାଳକମାନେ ସମ୍ପୂର୍ଣ୍ଣ ଧୂଳି ରେ ଗାଧୋଇ ହୋଇ ଯାଉଥିବା ସହ ନାନା ସମସ୍ୟା ଭୋଗୁଥିବା ଅଭିଯୋଗ କରିଛନ୍ତି। ବହୁ ସମୟରେ ତ ଏହି ଧୂଳିର କୁହୁଡିରେ ରାସ୍ତା ସମ୍ପୂର୍ଣ୍ଣ ଦୃଶ୍ୟମାନ ନ ହେବା ଫଳରେ କିଛି ବାଇକ ଚାଳକ ପଡି ଆହତ ହୋଇଥିବା ମଧ୍ୟ ଅଭିଯୋଗ କରିଛନ୍ତି। ତେବେ ଏହି ରାସ୍ତା ଦେଇ ଅତ୍ୟଧିକ ଭାରି ଯାନ ଚଳାଚଳର ନିୟମ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିବା ବେଳେ ଏହି ନିୟମ ଖିଲାପ କରି କ୍ରସର ମାଲିକ କିନ୍ତୁ ଅହର୍ନିଶି ଏହି ବାଟ ଦେଇ ଭାରି ଯାନ ଚଳାଚଳ କରାଉଥିବା ହେତୁ ରାସ୍ତା ର ଅବସ୍ଥା ଶୋଚନୀୟ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। କ୍ରସର ସଂସ୍ଥା ପକ୍ଷରୁ ଉକ୍ତ ଅଞ୍ଚଳର ରାସ୍ତାରେ ଦିନରାତି ପାଣି ସିଞ୍ଚନ କରିବାର ନିୟମ ରହିଥିବା ବେଳେ ସଂସ୍ଥା ପକ୍ଷରୁ ଆଜି ଯାଏଁ କେବେ ମଧ୍ୟ ପାଣି ସିଞ୍ଚନ ହେଉନାହିଁ, କି ଏଯାଏଁ ଅଞ୍ଚଳରେ ଗୋଟିଏ ବୃକ୍ଷ ମଧ୍ୟ ରୋପଣ କରାଯାଇନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଯାହା ଫଳରେ ଏହି କ୍ରସର ଧୂଳି ନାକ ମଧ୍ୟକୁ ଯିବା ଦ୍ୱାରା ଶରୀରରେ କ୍ଷୟକ୍ଷତି ହେବା ସହ ନାନାଦି ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି। ଦୈନିକ ଏହି ରାସ୍ତା ଦେଇ ଯାତାୟତ କରୁଥିବା ବାଇକ ଚାଳକ ଙ୍କ ଏଥିପାଇଁ ସ୍ୱାସ୍ଥ୍ୟବସ୍ଥା ଖରାପ ହୁଏ ତ କ୍ରସର ସଂସ୍ଥା ତା ପାଇଁ ଦାୟୀ ରହିବ ବୋଲି ଗ୍ରାମବାସୀ କହିଛନ୍ତି। ଏନେଇ ଆମେ ଆର ଆର କ୍ରସର ସଂସ୍ଥା ମାଲିକ ଙ୍କୁ ଯୋଗାଯୋଗ କରିବାରୁ ସେ ବେପରୁଆ ଭାବେ ବର୍ତ୍ତମାନ ମୁଁ ଭାରତ ବାହାରେ ଅଛି କହି ଆମ ଫୋନଟିକୁ କାଟି ଦେଇଥିଲେ। ଏନେଇ ଆମେ ଆରଡି ବିଭାଗୀୟ ଯନ୍ତ୍ରୀ ଦୀନବନ୍ଧୁ ସାମନ୍ତ ଙ୍କୁ ପଚାରିବାରୁ ସେ ଏହି ରାସ୍ତାରେ ଭାରି ଯାନ ଯିବା ନିଷେଧ ବୋଲି କହିଥିଲେ। ତେବେ କ୍ରସର ର ଭାରି ଯାନ ହେତୁ ରାସ୍ତାର ଏପରି ଅବସ୍ଥା ହୋଇଥିବା କହିବା ସହ ଏଯାଏଁ ୫ ବର୍ଷୀୟ ମରାମତି ବାବଦକୁ ଠିକାଦାର ଟଙ୍କାଟିଏ ମଧ୍ୟ ଉଠାଇ ନଥିବା ସେ କହିଥିଲେ। ତେବେ ତୁରନ୍ତ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ପୁନଃ ଆରମ୍ଭ କରି ପ୍ରଶାସନ ପକ୍ଷରୁ କ୍ରସର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।






