ପ୍ରବଳ ବର୍ଷା ମଧ୍ୟରେ ନକ୍ସଲ ମାନଙ୍କ ସୁରକ୍ଷିତ ଆଶ୍ରୟସ୍ଥଳ ଗୋଗୁଣ୍ଡା-ସିମେଲର ଆଭ୍ୟନ୍ତରୀଣ ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ୱାରା ମିଳିତ ସଫଳ ନକ୍ସଲ ବିରୋଧୀ ଅପରେସନ କରାଯାଇଥିଲା।ଘୋର ମାଓ ଅଞ୍ଚଳର ୩୦ କିମି ଦୂର ଜଙ୍ଗଲରେ ଚାଲି ଚାଲି ଯବାନ ମାନେ ଅପରେସନକୁ ସଫଳ କରିଛନ୍ତି। ସୁରକ୍ଷାବାହିନୀ ଦ୍ବାରା ସ୍ବତନ୍ତ୍ର ଜଙ୍ଗଲ ଯୁଦ୍ଧ ରଣ କୌଶଳ ହେତୁ ନକ୍ସଲମାନେ ନିଜ ସୁରକ୍ଷିତ ଅଞ୍ଚଳରେ ଲୁଚାଇ ରଖିଥିବା ମାଓ ଡମ୍ପ ସାମଗ୍ରୀ ଛାଡି ପଳାଇ ଯାଇଥିଲେ। ଜିଲ୍ଲା ପୁଲିସ ,ଡିଆଇଜି , ବସ୍ତର ଫାଇଟର, କୋବ୍ରା ୨୦୬ ଏବଂ ସିଆରପିଏଫ୍ ୭୪ ବାଟାଲିୟନ ଯବାନଙ୍କ ସଂଯୁକ୍ତ ଅପରେସନରେ ମିଳିଛି ସଫଳତା।
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ସୁକୁମା ଜିଲ୍ଲାରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ନକ୍ସଲ ବିଲୋପ ଅଭିଯାନ ଚାଲୁଅଛି। ଏମିତିରେ କେରଲାପାଲ ଏରିଆ କମିଟିର ନକ୍ସଲଙ୍କ ଉପସ୍ଥିତି ସମ୍ପର୍କରେ ବାରମ୍ବାର ସୂଚନା ମିଳିବା ପରେ ୬ ତାରିଖରେ ଜିଲ୍ଲା ପୁଲିସ , ଡିଆରଜି , ବସ୍ତର ଫାଇଟର, ୨୦୬ କୋବ୍ରା ଏବଂ ୭୪ ସିଆରପିଏଫ ମିଳିତ ଟିମ ନକ୍ସଲଗଡ କୁହାଯାଉଥିବା ଗାଁ ଗାରୁମ , କୋତାପାଲ୍ଲୀ, ନାଗାରାମ, ନେଡୁମ୍, ତୋୟାପାରା, ସିମେଲ, ଗୋଗୁଣ୍ଡା, ଡୋଗିନପାରା ଏବଂ ଏହାର ଆଖପାଖ ଅଞ୍ଚଳରେ ଅପରେସନ ପାଇଁ ଯାଇଥିବା ବେଳେ ଅପରେସନ ମଧ୍ୟରେ ୭ ତାରିଖ ସକାଳ ୫ଟାରେ ଗୋଗୁଣ୍ଡା-ସିମେଲ ପାହାଡ଼ ଜଙ୍ଗଲରେ ଯବାନଙ୍କୁ ଆସିବା ଦେଖି ଘଞ୍ଚ ଜଙ୍ଗଲର ଆଢ଼ୁଆଳରେ ନକ୍ସଲମାନେ ଦୌଡ଼ି ପଳାଇଥିଲେ।ପରେ ଘଟଣାସ୍ଥଳକୁ ଯବାନ ତଲାସି କରିବାରୁ ଏକ ମାଓ ଡମ୍ପ ଯଥା ବିଜିଏଲ ଲଞ୍ଚର , ୧୨ ବୋର୍ ବନ୍ଧୁକ , ୩୧୫ ବୋର୍ ବନ୍ଧୁକ , ବିସ୍ଫୋଟକ ଆଉ ଅନ୍ୟ ନକ୍ସଲ ସାମଗ୍ରୀ ଠାବ କରିଥିଲେ। ଏହା ପରେ ଯବାନମାନେ ସୁରକ୍ଷିତ ଏହି ଅପରେସନକୁ ସଫଳ କରି କ୍ୟାମ୍ପକୁ ଫେରିଥିଲେ। ଜବତ ହୋଇଥିବା ମାଓ ଡମ୍ପ ମଧ୍ୟରେ ୧୨ ବୋର୍ ବନ୍ଧୁକ , ବିଜିଏଲ ଲଞ୍ଚର , ୩୧୫ ବୋର୍ ବନ୍ଧୁକ , ୮ ବିଜିଏଲ ବୋମା , ୮ ବିଜିଏଲ କାଟ୍ରିଜ , ଗୁଳିଗୋଳା , କୋର୍ଡେକ୍ସ ତାର , ଯୋତା , ନକ୍ସଲ ବର୍ଦି ଏବଂ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ପୁଲିସ ଜବତ କରିଛି।