
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ଦନ୍ତେୱାଡାରେ ପୁଣି ଥରେ ପୁଲିସକୁ ବଡ଼ ସଫଳତା। ପୁଲିସ ନକ୍ସଲ ମଧ୍ୟରେ ଗୁଳି ବିନିମୟରେ ୯ ନକ୍ସଲଙ୍କୁ ନିପାତ କଲେ ଯବାନ। ଏସଏଲଆର / ୩୦୩ ରାଇଫଲ / ୩୧୫ ବୋର ରାଇଫଲ ଅସ୍ତ୍ର ସହିତ ବହୁ ପରିମାଣର ନକ୍ସଲ ସାମଗ୍ରୀ ପୁଲିସ ଦ୍ୱାରା ଜବତ କରାଯାଇଛି। ଅପରେସନରେ ଯାଇଥିବା ସମସ୍ତ ଯବାନ ସୁରକ୍ଷିତ ଅଛନ୍ତି।ଲୋହାଗାଓଁ ପେଡିଆ ଜଙ୍ଗଲରେ ଏହି ଗୁଳି ବିନିମୟ ଜାରି ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ଡିଆରଜି ଏବଂ ସିଆରପିଏଫର ମିଳିତ ଟିମ ନକ୍ସଲ ବିଲୋପ ଅଭିଯାନରେ ପାଟ୍ରୋଲିଂ ଏବଂ ସର୍ଚ୍ଚ ଅପରେସନରେ ଯାଇଥିଲେ। ଦନ୍ତେୱାଡା ଏବଂ ବିଜାପୁର ସୀମା ଅଞ୍ଚଳରେ ପଶ୍ଚିମ ବସ୍ତର ଡିଭିଜନର ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ମିଳିତ ପୁଲିସ ପାର୍ଟି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ତଲାସି ବେଳେ ଆଜି ସକାଳ ୧୦.୩୦ ଠାରୁ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି। ସର୍ଚ୍ଚ ଅପରେସନରେ ଏପର୍ଯ୍ୟନ୍ତ ୯ ବର୍ଦିଧାରୀ ଏବଂ ସଶସ୍ତ୍ର ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ ଯେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କିଛି ଦିନ ପୂର୍ବରୁ ଛତିଶଗଡ ଗସ୍ତରେ ଆସିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଶାହା ୭ ଟି ରାଜ୍ୟର ପୁଲିସ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ।ଯେଉଁଥିରେ ନକ୍ସଲ ସମସ୍ୟାକୁ ମୂଳରୁ ହଟାଇବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଥିଲା। ଅମିତ ଶାହା ନକ୍ସଲମାନଙ୍କୁ ଚେତାବନୀ ଦେଇଥିଲେ ଯେ ନକ୍ସଲ ମାନେ ହିଂସାର ପଥ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ, ନଚେତ୍ ଚୂଡ଼ାନ୍ତ ପ୍ରହାର ହେବ।ଏପଟେ ନକ୍ସଲମାନେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଅନ୍ୟପକ୍ଷରେ, ଅନେକ ନକ୍ସଲ ଲାଲ ଆତଙ୍କ ସଂଗଠନର ହାତ ଛାଡିବାକୁ ବାଧ୍ୟ ହୋଇଛନ୍ତି।