
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ଚଳିତ ଗ୍ରୀଷ୍ମ ପ୍ରବାହର ଦାଉ ଦାଉ ଖରାରେ କୋମଳ ମତି ଶିଶୁମାନେ କେନ୍ଦୁପତ୍ର ଫଡିରେ କାମ କରୁଥିବା ଚିତ୍ର ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲା ପାଣ୍ଡ୍ରିପାଣି ପଞ୍ଚାୟତ ଅନ୍ତର୍ଗତ କୁଦୁଗୁଡା ଏବଂ ବିଜାଘାଟି ଗାଁରେ କିଛି ଅସାଧୁ କେନ୍ଦୁପତ୍ର ବେପାରୀ ସ୍ଥାନୀୟ ଶିଶୁଙ୍କୁ ଶ୍ରମିକ ଭାବରେ ନିୟୋଜିତ କରୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।ଶିଶୁମାନଙ୍କୁ କୌଣସି ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ କରିବା ଆଇନଗତ ଏକ ବଡ଼ ଅପରାଧ।ଏହା ଜାଣିଶୁଣି ମଧ୍ୟ କେଉଁ ନିର୍ଦ୍ଦେଶାବଳୀ ଏବଂ କାହା ଇଙ୍ଗିତରେ ଏହି କେନ୍ଦୁପତ୍ର ବେପାରୀ ମାନେ ଏଭଳି ଅପରାଧିକ କାର୍ଯ୍ୟ କରୁଛନ୍ତି ବୋଲି ଗ୍ରାମବାସୀ ମାନେ ଜିଲ୍ଲା ପ୍ରଶାସନକୁ ପ୍ରଶ୍ନ କରିଛନ୍ତି।୨୬ ଜାନୁଆରୀ ୧୯୫୦ ମସିହାରେ କାର୍ଯ୍ୟକାରୀ ହୋଇଥିବା ଭାରତୀୟ ସମ୍ବିଧାନରେ ଶିଶୁଙ୍କ ମୌଳିକ ଅଧିକାରକୁ ସୁନିଶ୍ଚିତ କରାଯାଇଛି। ଧାରା ୨୧-କ ଅନୁଯାୟୀ ୬-୧୪ ବର୍ଷ ବୟସର ସମସ୍ତ ଶିଶୁଙ୍କୁ ମାଗଣା ଏବଂ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି କିନ୍ତୁ ମାଲକାନଗିରି ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏଠାରେ ପ୍ରତିଦିନ କେଉଁଠି ନା କେଉଁଠି ଶିଶୁ ଶ୍ରମିକ ନିୟୋଜିତ ହେଉଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ସାଜିଛି ନିରବଦ୍ରଷ୍ଟା।ହେଲେ ମାଲକାନଗିରି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଏଭଳି ଅସାଧୁ କେନ୍ଦୁପତ୍ର ବେପାରୀଙ୍କୁ ଏପର୍ଯ୍ୟନ୍ତ କାବୁ କରିନାହିଁ କଣ ପାଇଁ ବୋଲି ସାଧାରଣରେ ପ୍ରଶ୍ନବାଚୀ। ଚଳିତ ବର୍ଷ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଲାଗି ରହିବା ସହ ୪୦ ଡିଗ୍ରୀରୁ ଉର୍ଦ୍ଧ୍ବ ତାପମାତ୍ରା ରେକର୍ଡ କରାଯାଇଛି। ଏମିତିରେ ଏତେ ଝାଞ୍ଜି ଖରାରେ କୁନି କୁନି ପିଲାମାନଙ୍କୁ ଏକ କେନ୍ଦୁପତ୍ର ଫଡିରେ କାମ କରୁଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ନଜର ଆସିଛି।କାହାର ସେ ପଡ଼ି ଏବଂ ସେ କାହା ନିର୍ଦ୍ଦେଶରେ ଏହି ଶିଶୁମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିଛନ୍ତି ବୋଲି ସ୍ଥାନୀୟ ଲୋକଙ୍କୁ ପଚାରିବାରୁ ଉକ୍ତ କେନ୍ଦୁପତ୍ର ଫଡି ପଟନାୟକ ବ୍ରଦର୍ସଙ୍କର ହୋଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ଯଦି ଏପରି ହୋଇଥାଏ ତେବେ ଶିଶୁ ସୁରକ୍ଷା ବିଭାଗ କରୁଛି କ’ଣ.? ଜିଲ୍ଲାବାସୀ ମଧ୍ୟରେ ଚର୍ଚ୍ଚା।କିଏ ସେହି କେନ୍ଦୁପତ୍ର ବେପାରୀ ପଟନାୟକ ବ୍ରଦର୍ସ ଏବଂ ତାପସ.? ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। କାହିଁକି ଜିଲ୍ଲା ଶ୍ରମ ବିଭାଗ ଏବଂ ଶିଶୁ ସୁରକ୍ଷା ବିଭାଗ ଚୁପ୍ ରହିଛନ୍ତି ଗ୍ରାମବାସୀ ବୋଲି ଅଭିଯୋଗ କରିଛନ୍ତି।ଏ ସମ୍ପର୍କରେ ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାଶଙ୍କୁ ପଚାରିବାରୁ ଘଟଣା ସ୍ଥଳକୁ ଯାଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ସେହିପରି କେନ୍ଦୁପତ୍ର ବେପାରୀ ପଟନାୟକ ବ୍ରଦର୍ସକୁ ଯୋଗାଯୋଗ କରିବାରୁ କୁଦୁଗୁଡା ଏବଂ ବିଜାଘାଟି ଫଡିକୁ ଆମେ ଉକ୍ତ ଗାଁର ତାପସ ନାମକ ଜଣେ ବେପାରୀକୁ ଲିଜରେ ଦେଇ ଦେଇଛୁ ବୋଲି କହିଥିଲେ। ଅପରପକ୍ଷରେ ଲିଜ ନେଇଥିବା ତାପସ ନାମକ ବ୍ୟକ୍ତିଙ୍କୁ ଏ ବିଷୟରେ ପଚାରିବାରୁ ଉକ୍ତ କେନ୍ଦୁପତ୍ର ପଡ଼ି ପଟ୍ଟନାୟକ ବ୍ରଦର୍ସଙ୍କର ଏବଂ ମୁଁ ସେଠାରେ କାମ କରୁଛି ବୋଲି କହିଛନ୍ତି।ଏପରି ସ୍ଥଳେ ଯଦି ଏତେ ଟାଣ ଖରାରେ କାମ କରୁଥିବା ଶିଶୁ ମାନଙ୍କର କିଛି ଅଘଟଣ ଘଟେ ତେବେ ଦାୟୀ କିଏ ରହିବ ବୋଲି ସାଧାରଣରେ ପ୍ରଶ୍ନବାଚୀ। ଭାରତୀୟ ସମ୍ବିଧାନରେ ଶିଶୁମାନଙ୍କ ସମ୍ପର୍କିତ ୨୫୦ ରୁ ଅଧିକ ଆଇନ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ଗୃହିତ ହୋଇଥିବା ବେଳେ ସବୁ ଆଇନ ମାଲକାନଗିରି ଜିଲ୍ଲାରେ ପାଣିର ଗାର ପାଲଟିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଜିଲ୍ଲା ପ୍ରଶାସନ ଏହି ଘଟଣା ସଂପର୍କରେ କିଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା।