
ନିରାଶ ହୋଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଗ୍ରାମବାସୀ।
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବା ବେଳେ ଟିକିଏ ପବନ ବହିଲେ ଅଘୋଷିତ ବିଦ୍ୟୁତ କାଟ ଲାଗି ଜନଜୀବନ ଅତିଷ୍ଠ ହୋଇ ପଡିଲେଣି। ଭିଷଣ ଖରା ଯୋଗୁଁ ଅଞ୍ଚଳର ତାପମାତ୍ରା ୪୦ ଡିଗ୍ରୀରୁ ଉର୍ଦ୍ଧ୍ବ ଛୁଇଁଲାଣି।ପ୍ରବଳ ରୌଦ୍ରତାପ ସାଙ୍ଗଙ୍କୁ ଅସହ୍ୟ ଗୁଳୁଗୁଳି ଗରମରେ ଛଟପଟ ହେଉଛନ୍ତି ଉପଭୋକ୍ତା।ଗତକିଛି ଦିନ ଧରି ଅଞ୍ଚଳରେ କାଳବୈଶାଖୀ ଯୋଗୁଁ ପବନ ସାଙ୍ଗକୁ ବର୍ଷା ମଧ୍ୟ ହେଉଥିବା ଦେଖିବାକୁ ମିଳୁଛି। ପବନ କମିବା ପରେ ବିଦ୍ୟୁତ ବିଭାଗ ପକ୍ଷରୁ କଟାଯାଇଥିବା କରେଣ୍ଟକୁ ଚାର୍ଜ କରିବା ପରେ ଅଧିକାଂଶ ଗ୍ରାମରେ କରେଣ୍ଟ ଆସୁଥିବା ବେଳେ କୌଣସି କାରଣରୁ ଆଉ କିଛି ଗ୍ରାମକୁ କରେଣ୍ଟ ଆସୁନାହିଁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଚିତାପାରି-୩ ପଞ୍ଚାୟତ ଅଧିନସ୍ଥ ଏମଭି -୧୦୮ ଗ୍ରାମରେ। ଏହି ଗାଁରେ ଗତ ସୋମବାର ରାତିରେ ପବନ ହେବାରୁ କରେଣ୍ଟ ଚାଲି ଯାଇଥିଲା। ପୁନର୍ବାର ମଙ୍ଗଳବାର ଠାରୁ ବର୍ତ୍ତମାନ ପଯ୍ୟନ୍ତ ଦୀର୍ଘ ଦୁଇଦିନ ହେଲା ଗାଁରେ କରେଣ୍ଟ ନଥିନାରୁ ଗ୍ରାମର ୭୫ ରୁ ଉର୍ଦ୍ଧ୍ବ ପରିବାର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।କରେଣ୍ଟ ନଥିନା ଯୋଗୁଁ ଫ୍ୟାନ, କୁଳର, ଫ୍ରିଜ, କମ୍ପୁଟର, ଟିଭି, ପିଇବା ପାଣି ଭଳି ଅତି ନିତ୍ୟ ବ୍ୟବହାର୍ଯ୍ୟ ସାଧନ ଗୁଡିକ ଅଚଳ ହୋଇପଡିଛି। ପିଲାମାନେ ସନ୍ଧ୍ୟାରେ ପାଠ ପଢି ପାରୁନାହାନ୍ତି।ଗରମ ପାଇଁ ରାତିରେ କେହି ଶୋଇ ପାରୁନାହାନ୍ତି।ଏନେଇ ଗ୍ରାମବାସୀ ଦୀର୍ଘ ଦୁଇଦିନ ଧରି ବିଦ୍ୟୁତ ବିଭାଗର କର୍ତୃପକ୍ଷ ଏବଂ କର୍ମଚାରୀଙ୍କ ନିକଟରେ ବହୁବାର ଅଭିଯୋଗ କଲେ ବି କେହି କର୍ଣ୍ଣପାତ କରୁନଥିବା କାରଣରୁ ଗ୍ରାମବାସୀ ଆଜି ନିରୁପାୟ ହୋଇ ବାଲିମେଳା ସହରସ୍ଥିତ ବିଦ୍ୟୁତ ବିଭାଗର କାର୍ଯ୍ୟାଳୟସଂମ୍ମୁଖରେ ସମୂହ ଧାରଣ ଦେବାକୁ ବାଧ୍ୟ ହେଲୁ ବୋଲି ଏମଭି -୧୦୮ ଗ୍ରାମର ସଂଜିତ ସାନ୍ନା, କବିତା ମିସ୍ତ୍ରୀ, ଶାନ୍ତି ମଣ୍ଡକ, ସାବୀ ମଣ୍ଡଳ, ପୁର୍ଣିମା ବାରୋଇ, ସୁନିତା ମଣ୍ଡଳ,ବୈଶାଖ ସର୍ଦାର, ଉର୍ମିଳା ମଣ୍ଡଳ, ରଶ୍ମି ମିସ୍ତ୍ରୀ, ପ୍ରଶାନ୍ତ ମଣ୍ଡଳ, ପୁଷ୍ପା ମଣ୍ଡଳ, ନ୍ୟୁଟନ ସର୍ଦାର, ଶ୍ୟାମଳ ସର୍ଦାର, ସୁଶାନ୍ତ ବିଶ୍ୱାସଙ୍କ ସମେତ ଶତାଧିକ ଗ୍ରାମବାସୀ ଅଭିଯୋଗ କରିଛନ୍ତି। କରେଣ୍ଟ ନଦେବା ପର୍ଯ୍ୟନ୍ତ ଅଫିସ ସମ୍ମୁଖରେ ଧାରଣାରେ ବସି ରହିବୁ ବୋଲି ଅଡ଼ି ବସିଥିଲେ ଗ୍ରାମବାସୀ।ବିଦ୍ୟୁତ ବିଭାଗର କର୍ମଚାରୀ ଦୀର୍ଘ ସମୟ ଧରି ସେମାନଙ୍କୁ ବୁଝା ସୁଝା କରିବା ସହ ଉକ୍ତ ଗ୍ରାମରେ ତୁରନ୍ତ ଲୋକ ପଠାଇ କରେଣ୍ଟ ଦିଆଯିବ ବୋଲି ପ୍ରତିଶୃତି ଦେବା ପରେ ଗ୍ରାମବାସୀ ସେଠାରୁ ନିଜ ଗ୍ରାମକୁ ଫେରି ଯାଇଥିଲେ।ଏ ସମ୍ପର୍କରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଦେବେନ୍ଦ୍ର କୁମାର ସାହୁଙ୍କୁ ପଚାରିବାରୁ ଉକ୍ତ ଗ୍ରାମକୁ ବିଦ୍ୟୁତ ସଂଯୋଗ ହୋଇଥିବା କେବୁଲରେ କେଉଁଠି ତୃଟି ରହି ଥାଇପାରେ, ତୁରନ୍ତ ମରାମତି କରି ଲାଇନ ଦିଆଯିବ ବୋଲି ସେ କହିଛନ୍ତି।