
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ଓଡିଶା ଜଳ ସମ୍ପଦ ବିଭାଗର ନିର୍ଦ୍ଧେଶ କ୍ରମେ ମାଲକାନଗିରି ଜିଲ୍ଲା ବୃହତ ଜଳ ସେଚନ ବିଭାଜନ ପକ୍ଷରୁ କୋରୁକୋଣ୍ଡା ବ୍ଲକ ନୀଳାକାମ୍ବେରୁ ପଞ୍ଚାୟତ ଅଧିନସ୍ଥ ସୋର୍ଲୁକୋଣ୍ଡା ବ୍ୟାରେଜ ପରିସରରେ ବୁଧବାର ଅଞ୍ଚଳର ଚାଷୀ ଭାଇ ଭଉଣୀ ମାନଙ୍କୁ ନେଇ ଏକ ସଚେତନତା ଶିବିର ଏବଂ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଜିଲ୍ଲା କୃଷି ଅଧିକାରୀ ମହେଶ କୁମାର ପାଢୀ, ପଟେରୁ ଜଳ ସେଚନ ପ୍ରକଳ୍ପ ମୁଖ୍ୟ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପୀତବାସ ସେଠୀ, ବୃହତ ଉଠା ଜଳସେଚନ ବିଭାଜନର ନିର୍ବାହୀ ଯନ୍ତ୍ରୀ କରୁଣା ସାଗର ବେହେରା , ଅତିରିକ୍ତ ଉଦ୍ୟାନ ଅଧିକାରୀ ପ୍ରଯୁଷ ମହାନଦୀୟା ଓ ଅଶୋକ ମହାନ୍ତି ପ୍ରମୁଖ ଯୋଗ ଦେଇ ପ୍ରଥମେ ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପୋଟେରୁ ଜଳ ସେଚନ ବିଭଗର ନିର୍ବାହୀ ଯନ୍ତ୍ରୀ ଅଭିମନ୍ୟୁ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ସୂଚନା ଥାଉକି ପୂର୍ବରୁ ଆଜି ପର୍ଯ୍ୟନ୍ତ ଚାଷୀଙ୍କୁ ଖରିପ ଓ ରବୀ ଋତୁ ଚାଷ ପାଇଁ କେନାଲ ମାଧ୍ୟମରେ ପାଣି ଯୋଗାଇ ଦିଆଯାଉଛି।ଜିଲ୍ଲାର କିଛି ଅଞ୍ଚଳରେ ଥିବା ଉଚ୍ଚା ଜମି ଗୁଡିକରେ ଠିକ ଭାବେ ଆବଶ୍ୟକ ଅନୁସାରେ ପାଣି ପହଞ୍ଚି ପାରୁନଥିଲା। ବର୍ତ୍ତମାନ ସରକାରଙ୍କ ପକ୍ଷରୁ ଚାଷୀ ମାନଙ୍କୁ ଆବଶ୍ୟକ ପାଣି ଯୋଗାଇ ଦେବ ନିମନ୍ତେ ଜିଲ୍ଲାରେ ବୃହତ ଉଠା ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯାୟରେ ପହଁଞ୍ଚିଛି। ଆଉ କିଛି ମାସ ମଧ୍ୟରେ ଏହି ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ଯାଉଛି।ତେବେ ଏଭଳି କ୍ଷେତ୍ରରେ ଅଞ୍ଚଳର ଚାଷୀମାନେ କିପରି ଭାବେ ଉଠା ଜଳସେଚନର ସଦୁପଯୋଗ କରି ବିଭିନ୍ନ ପ୍ରକାର ଚାଷ କରିବା ସହିତ ନିଜର ଆର୍ଥିକ ସ୍ଥିତିକୁ ମଜୁବୁତ କରିବେ ସେ ସମ୍ପର୍କରେ ମଞ୍ଚାସିନ ଅତିଥିମାନେ ବିସ୍ତୃତ ଭାବେ ବୁଝାଇ କହିଥିଲେ।ତଳ ମୁଣ୍ଡରେ ଥିବା ଚାଷୀମାନେ ଯେପରିକି ଠିକ ଭାବେ ପାଣି ପାଇପାରିବେ ଏଥିପ୍ରତି ବିଭାଗ ପକ୍ଷରୁ ସମ୍ପୂର୍ଣ ଭାବେ ଧ୍ୟାନ ଦିଆଯିବ ବୋଲି ବିଭାଗୀୟ ଅଧିକାରୀମାନେ କହିଥିଲେ।ତେବେ ଏହି ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ଚାଷୀ ମାନେ ନିଜ ନିଜ ଅଞ୍ଚଳରେ ପାଣି ପଞ୍ଚାୟତ ଗଠନ କରିବାକୁ କୁହାଯାଇଥିଲା। ଗତ କିଛି ମାସ ହେବ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନତା କରାଇବା ନିମନ୍ତେ ବିଭିନ୍ନ ଗ୍ରାମରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନତା କରାଯାଉଛି।ଏହି କାର୍ଯ୍ୟକ୍ରମରେ ବାଲିମେଳା, କୋରୁକୋଣ୍ଡା ବ୍ଲକ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଶତାଧିକ ଚାଷୀ ଓ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ।