
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ଭାରତୀୟ ନିର୍ବାଚନ କମିଶନ ସମସ୍ତ ଜାତୀୟ ଏବଂ ରାଜ୍ୟ ସ୍ତରୀୟ ରାଜନୈତିକ ଦଳଙ୍କ ଠାରୁ ଏପ୍ରିଲ ୩୦, ୨୦୨୫ ସୁଦ୍ଧା ନିର୍ବାଚନ ପଞ୍ଜୀକରଣ ଅଧିକାରୀ(ଇଆରଓ),ଜିଲ୍ଲା ନିର୍ବାଚନ ଅଧିକାରୀ(ଡିଇଓ)କିମ୍ବା ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସ୍ତରରେ ଯେ କୌଣସି ସମାଧାନ ନ ହୋଇଥିବା ସମସ୍ୟା ପାଇଁ ପରାମର୍ଶ ଆମନ୍ତ୍ରଣ କରିଛନ୍ତି। ୧୧ ମାର୍ଚ୍ଚ ମଙ୍ଗଳବାର ରାଜନୈତିକ ଦଳ ଗୁଡ଼ିକୁ ଜାରି କରାଯାଇଥିବା ଏକ ବ୍ୟକ୍ତିଗତ ଚିଠିରେ କମିଶନ ପ୍ରତିଷ୍ଠିତ ଆଇନ ଅନୁଯାୟୀ ନିର୍ବାଚନ ପ୍ରକ୍ରିୟାକୁ ଆହୁରି ସୁଦୃଢ କରିବା ଉଦ୍ଦେଶ୍ୟରେ ଉଭୟ ପକ୍ଷର ସୁବିଧାଜନକ ସମୟରେ ଦଳର ସଭାପତି ଏବଂ ଦଳର ବରିଷ୍ଠ ସଦସ୍ୟମାନଙ୍କ ସହିତ ଏକ ଆଲୋଚନା କରିବାକୁ ମଧ୍ଯ ଅନୁମତି ଦେଇଛନ୍ତି। ପୂର୍ବରୁ ଗତ ସପ୍ତାହରେ ଭାରତୀୟ ନିର୍ବାଚନ କମିଶନ ଏକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀ ( ସିଇଓ), ଜିଲ୍ଲା ନିର୍ବାଚନ ଅଧିକାରୀ ( ଡିଇଓ) ଏବଂ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ( ଇଆରଓ) ମାନଙ୍କୁ ରାଜନୈତିକ ଦଳଗୁଡ଼ିକ ସହିତ ନିୟମିତ ଆଲୋଚନା କରିବାକୁ କହିଛନ୍ତି। ବୈଠକରେ ପ୍ରାପ୍ତ ଯେକୌଣସି ପରାମର୍ଶକୁ ପୂର୍ବରୁ ଥିବା ଆଇନଗତ ଢାଞ୍ଚା ମଧ୍ୟରେ କଡାକଡି ସମାଧାନ କରିବାକୁ ଏବଂ ମାର୍ଚ୍ଚ ୩୧ ସୁଦ୍ଧା କମିଶନଙ୍କ ନିକଟରେ ଏକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କମିଶନ ରାଜନୈତିକ ଦଳ ଗୁଡ଼ିକୁ ବିକେନ୍ଦ୍ରିତ ସଂପର୍କର ଏହି ବ୍ୟବସ୍ଥାକୁ ସକ୍ରିୟ ଭାବରେ ବ୍ୟବହାର କରିବାକୁ ମଧ୍ଯ ଅନୁରୋଧ କରିଥିଲେ। କମିଶନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଭାରତର ପ୍ରତିନିଧି ଆଇନ- ୧୯୫୦ ଏବଂ ୧୯୫୧, ମତଦାତା ପଞ୍ଜୀକରଣ ନିୟମ-୧୯୬୦, ନିର୍ବାଚନ ନିୟମ- ୧୯୬୧; ସୁପ୍ରିମକୋର୍ଟର ଆଦେଶଗୁଡ଼ିକ ଏବଂ ଭାରତ ନିର୍ବାଚନ କମିଶନ ଦ୍ବାରା ପ୍ରକାଶିତ ନିର୍ଦ୍ଦେଶ, ମାନୁଆଲ ଏବଂ ହ୍ୟାଣ୍ଡବୁକ ଗୁଡ଼ିକ(ଭାରତୀୟ ନିର୍ବାଚନ କମିଶନ ୱେବସାଇଟରେ ଉପଲବ୍ଧ), ଯାହା ଏକ ବିକେନ୍ଦ୍ରୀକୃତ, ସୁଦୃଢ଼ ଏବଂ ସ୍ଵଚ୍ଛ ଆଇନଗତ ଢାଞ୍ଚା ନିର୍ମାଣ କରିଛି। ଯାହା ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟା ନିଶ୍ଚିତ କରିଥାଏ।