
କାଲିମେଳା(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଭେଜାଙ୍ଗିୱାଡ଼ା ପାଞ୍ଚୟତ ଠାରୁ ଏମପିଭି-୭୧ ଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ମୁରୁମ ମାଟି ରାସ୍ତା ସହ ରହିଛି ବହୁ ପୂରୁଣା ପୋଲ ରହିଛି। ଯାହା ଫଳରେ ବିଭିନ୍ନ ସମୟରେ ମାଟି ଧସିବା ପୋଲ ଭୁଶୁଡିବା ଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ବହୁବର୍ଷ ହେବ ପୁରୁଣା ପୋଲ ଗୁଡ଼ାକ ସମ୍ପୂର୍ଣ ନଷ୍ଟ ହୋଇ ପଡ଼ିଥିବା ବେଳେ ଏବେ ମରଣଯନ୍ତା ପାଲଟିଛି ଏହି ପୋଲ।ଏମପିଭି-୭୧ ଗାଁକୁ ଯାତାୟତ କରିବାକୁ ହେଲେ ୫ କିଲୋମିଟର ବୁଲି ବୁଲି ଯିବାକୁ ପଡ଼ୁଛି। ତେବେ ବର୍ତ୍ତମାନ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଁ ଗଣ୍ଡାର ବିକାଶ ପାଇଁ ଖର୍ଚ୍ଚ ହେଉଛି ହଜାର ହଜାର କୋଟି ଟଙ୍କା ହେଲେ ଏହି ଅଞ୍ଚଳରେ ରହିଥିବା କିଛି ପୁରୁଣା ପୋଲ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ ବୋଲି ବୁଦ୍ଧିଜୀବୀ ମାନେ ବାରମ୍ବାର ଅଭିଯୋଗ କରୁଛନ୍ତି। ସେହିପରି ଯଦି ଦେଖିବା ତେବେ ଶିକ୍ଷା ସ୍ୱାସ୍ଥ୍ୟ ଯାନବାହାନ ଭଳି ଅନେକ କ୍ଷେତ୍ରରେ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏମିତିରେ ଅଧିକାଂଶ ସମୟରେ ସାଧାରଣରେ ଅସନ୍ତୋଷର ସ୍ବର ଉଠୁଥିବା ଦେଖିବାକୁ ମିଳୁଛି। ଗୋଟିଏ ପରେ ଗୋଟିଏ ସରକାର ବଦଳୁଛନ୍ତି କିନ୍ତୁ କେବେ ଲୋକଙ୍କ ଭାଗ୍ୟ ପରିବର୍ତ୍ତନ ହେବ ଆଉ କେବେ ଅସଜଡା ବ୍ୟବସ୍ଥାରେ ସୁଧାର ଆସିବ। କିଛି ନହେଲେ ଏହି ଅଞ୍ଚଳରେ ଥିବା କେତେକ ପୁରୁଣା ପୋଲ ଏବଂ କଚ୍ଚା ରାସ୍ତାର ପୁନରୁଦ୍ଧାର କେବେ ହେବ ବୋଲି ସ୍ଥାନୀୟ ତଥା ଜିଲ୍ଲା ପ୍ରଶାସନକୁ ପ୍ରଶ୍ନ କରିଛନ୍ତି ଗ୍ରାମବାସୀ। ଏମପିଭି-୭୧ ଗାଁରେ ପାଖାପାଖି ୧୫୦ ରୁ ୨୦୦ ଲୋକ ବସବାସ କରନ୍ତି। ପୁରୁଣା ପୋଲ ଭୁଶୁଡିବା ପରେ ଆଜି ଗ୍ରାମର କିଛି ମହିଳା ଏବଂ ପୁରୁଷ ଏକତ୍ରିତ ହୋଇ ପଞ୍ଚାୟତକୁ ଯାଇ ସରପଞ୍ଚଙ୍କୁ ସାକ୍ଷାତ କରି ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିବା ସହ ପୋଲଟିକୁ ଯଥାଶୀଘ୍ର ନିର୍ମାଣ କରିବା ଲାଗି ଦାବି କରିଥିବା ଜଣାପଡିଛି। ତେବେ ଏହି ଗାଁ ଉପରେ କେବେ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଦୃଷ୍ଟି ପଡୁଛି।ଆଉ କେବେ ଏମପିଭି-୭୧ ଗାଁକୁ ମିଳୁଛି ପକ୍କା ସଡ଼କ ଆଉ ନୂତନ ପୋଲ ତାହା କେବଳ ଦେଖିବାକୁ ବାକି ରହିଲା।