
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଏନଏସି କତୃପକ୍ଷଙ୍କ ବିନା ଅନୁମତିରେ ବେଆଇନ ଭାବେ ଏଆରଟେଲ ସଂସ୍ଥା ପକ୍ଷରୁ ସହରର ବିଭିନ୍ନ ଅଞ୍ଚଳରେ ରାସ୍ତା ଖୋଳି କେବୁଲ ବିଛାଇବା ମହଙ୍ଗା ପଡିଲା। ଏଆରଟେଲ ସଂସ୍ଥା ପକ୍ଷରୁ ଏନଏସି କତୃପକ୍ଷଙ୍କ ଅନୁମତି ନନେଇ ମନଇଛା କାର୍ଯ୍ୟ କରିବା ଏବଂ ଏହି କାର୍ଯ୍ୟ ବାବଦରେ ଧାର୍ଯ୍ୟ ଟିକସ ଦେୟ ଟଙ୍କା ଏନଏସିରେ ଜମା ନକରି ସହରର ବିଭିନ୍ନ ଅଞ୍ଚଳରେ କେବୁଲ ବିଛାଉଥିବା ଘଟଣା ସମ୍ପର୍କରେ ଏନଏସି କତୃପକ୍ଷ ଜାଣିବାକୁ ପାଇବା ପରେ ଆଜି ସକାଳ ପ୍ରାୟ ୧୦ଟା ସମୟରେ ବାଲିମେଳା ଏନଏସି ନିର୍ବାହୀ ଅଧିକାରୀ ରାଜେଶ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସାଧୁ ଚରଣ ମହାନ୍ତି, ରମଣୀ ନାୟକ, ପ୍ରତାପ ପଣ୍ଡା, ପ୍ରଦୀପ କୁମାର ମାହାଳି, ବଳରାମ ଖିଲଙ୍କ ସମେତ ବହୁ କର୍ମଚାରୀମାନେ ପାଣି ଟାଙ୍କି ଲାଇନରେ ପହଞ୍ଚି ପ୍ରଥମେ ଏଆରଟେଲ ସଂସ୍ଥା କେବୁଲ ବିଛା କାର୍ଯ୍ୟକୁ ବନ୍ଦ କରାଯିବା ସହ ଏହି କାର୍ଯ୍ୟରେ ସଂସ୍ଥା ପକ୍ଷରୁ ନିୟୋଜିତ ହୋଇଥିବା ଟ୍ରାକ୍ଟର, ମେସିନ, ପାଣିଟାଣି ଗାଡି କେବୁଲ ଓ ଅନ୍ୟାନ୍ୟ ସମସ୍ତ ପ୍ରକାର ଯନ୍ତ୍ରାଂଶ ଗୁଡିକୁ ଜବତ କରାଯାଇଥିଲା। ତେବେ ଏନଏସି କତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଏଆରଟେଲ ସଂସ୍ଥା ପକ୍ଷରୁ ବାଲିମେଳା ସହରର ପାୱାରହାଉସ ଛକ ଠାରୁ ନିଗମାନନ୍ଦ ସରସ୍ବତୀ ମନ୍ଦିର ଓ ନିଗମାନନ୍ଦ ମନ୍ଦିର ଠାରୁ ପାଣିଟାଙ୍କି ଲାଇନରେ ଥିବା ଏଆରଟେଲ ଟାୱାର ପର୍ଯ୍ୟନ୍ତ ମୋଟ ୨ କିମି ୮୦୦ ମିଟର ପର୍ଯ୍ୟନ୍ତ ଭୂତଳ କେବୁଲ ବିଛାଇବା ନିମନ୍ତେ ଗତ ୬ ତାରିଖରେ ଉକ୍ତ ସଂସ୍ଥାର ଫିଲଡ ମ୍ୟାନେଜରଙ୍କ ପକ୍ଷରୁ ଅନୁମତି ନିମନ୍ତେ ଏକ ଲିଖିତ ଦରଖାସ୍ତ ବାଲିମେଳା ଏନଏସି କାର୍ଯ୍ୟାଳୟରେ ପ୍ରଦାନ କରାଯାଇଥିଲା।ଏହାପରେ ବାଲିମେଳା ଏନଏସି କତୃପକ୍ଷଙ୍କ ପକ୍ଷରୁ ଗତ ୧୯ ତାରିଖରେ ଏହି କାର୍ଯ୍ୟ ବାବଦରେ ରାଜ୍ୟ ସରକାରଙ୍କ ଧାର୍ଯ୍ୟ ଟିକସ ମୋଟ ୧୧ ଲକ୍ଷ୍ୟ ୯୦ ହଜାର ୯୪୧ ଟଙ୍କା ଜମା କରିବାକୁ ଭାରତୀ ଏଆରଟେଲ ଲିମିଟେଡ଼ର ପ୍ରୋଜେକ୍ଟ ମ୍ୟାନେଜରଙ୍କ ନିକଟକୁ ଚିଠି ଲେଖି ପଠାଯାଇଥଲା। ତେବେ ଏଆରଟେଲ ସଂସ୍ଥା ପକ୍ଷରୁ ଟିକସ ଟଙ୍କା ବାଲିମେଳା ଏନଏସିରେ ଜମା ନକରି ଓ ଏନଏସି କତୃପକ୍ଷଙ୍କ ଠାରୁ ବିଧିବଦ୍ଧ ଭାବେ ଅନୁମତି ନନେଇ ଆଜକୁ ପ୍ରାୟ ୨/୩ ଦିନ ହେବ ବେଆଇନ ଭାବେ ସହରର ବିଭିନ୍ନ ଅଞ୍ଚଳରେ ମେସିନ ଦ୍ୱାରା ରାସ୍ତା ଖୋଳି କେବୁଲ ବିଛାଇବା କାର୍ଯ୍ୟ ଚଳାଇଥିଲେ। ଯଦି ଏଆରଟେଲ ସଂସ୍ଥା ପକ୍ଷରୁ ଟଙ୍କା ତୁରନ୍ତ ଏନଏସିରେ ଜମା ନ କରନ୍ତି ତେବେ ଆବଶ୍ୟକ ପଡିଲେ ଏଆରଟେଲ ସଂସ୍ଥା ବିରୁଦ୍ଧରେ ଆଇନଗତ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏନଏସି ନିର୍ବାହୀ ଅଧିକାରୀ ଶ୍ରୀ ମହାପାତ୍ର କହିଛନ୍ତି।