
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲାରେ ନକ୍ସଲମାନେ ଗୋଟିଏ ଦିନରେ ୨ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରିଛନ୍ତି। ନକ୍ସଲମାନେ ଆଜି ଭୈରମଗଡ ଥାନା ଅଞ୍ଚଳର ସୁକଲୁ ଫରସା ଏବଂ କାଦେରର ପୂର୍ବତନ ସରପଞ୍ଚ ସୁଖରାମ ଅବଲମଙ୍କୁ ହତ୍ୟା କରିଛନ୍ତି। ଉଭୟ ସରପଞ୍ଚଙ୍କୁ ଭିନ୍ନ ଭିନ୍ନ ସ୍ଥାନରୁ ଅପହରଣ କରି ନେଇଥିଲେ, ପରେ ସେମାନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ନକ୍ସଲ।କହି ରଖୁଛୁ ଯେ ନଭେମ୍ବର ୨ ରେ ନକ୍ସଲମାନେ ଭୈରମଗଡ ଥାନା ଅଞ୍ଚଳର ବିରୟାଭୂମି ଗ୍ରାମରୁ ପୂର୍ବତନ ସରପଞ୍ଚ ସୁକଲୁ ଫରସାଙ୍କୁ ଅପହରଣ କରି ନେଇଥିଲେ। ଏଥି ସହିତ, ନେମେଡ ଥାନା ଅନ୍ତର୍ଗତ କଦେର ଗ୍ରାମର ପୂର୍ବତନ ସରପଞ୍ଚ ସୁଖରାମ ଅବଲମଙ୍କୁ କୁକୁଡ଼ା ବଜାରରୁ ନକ୍ସଲମାନେ ଅପହରଣ କରି ନେଇଥିଲେ ଏବଂ ବର୍ତ୍ତମାନ ଉଭୟଙ୍କ ହତ୍ୟା କରିଛନ୍ତି।ପୂର୍ବତନ ସରପଞ୍ଚ ସୁକଲୁ ଫରସାଙ୍କ ମୃତଦେହ ଉପରେ ନକ୍ସଲମାନେ ଏକ ପ୍ରେସ ନୋଟ୍ ମଧ୍ୟ ଜାରି କରିଛନ୍ତି। ଯେଉଁଥିରେ ମାଓବାଦୀ ମାନେ ତାଙ୍କୁ ବିଜେପି ଦଳରେ ଯୋଗ ଦେଇଥିବା ଅଭିଯୋଗ କରିଛନ୍ତି। ଏହା ସହିତ ବିଜେପି ଦଳ ଠାରୁ ନିଜକୁ ଦୂରେଇ ରଖିବାକୁ ପୂର୍ବତନ ସରପଞ୍ଚଙ୍କୁ ତିନିଥର ଚେତାବନୀ ଦେଇଥିଲେ ନକ୍ସଲ। କିନ୍ତୁ ନକ୍ସଲଙ୍କ କଥା ନ ଶୁଣିବାରୁ ଏଥର ନକ୍ସଲମାନେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରିଥିବା ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।ପୂର୍ବତନ ସରପଞ୍ଚଙ୍କ ଅପହରଣ ପରେ ବୁଧବାର ଦିନ ସୁକୁଲୁ ଫାରସାଙ୍କ ପରିବାର ଏବଂ ଝିଅ ୟାମିନୀ ଫରସା ଥାନାରେ ସୂଚନା ଦେବା ବେଳେ ସୋସିଆଲ ମିଡିଆରେ ତାଙ୍କ ପିତାଙ୍କୁ ମୁକ୍ତ କରିବା ପାଇଁ କରୁଣ ନିବେଦନ କରିଥିଲେ କିନ୍ତୁ ନକ୍ସଲମାନେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରିଥିଲେ। ଏପଟେ ବିଜାପୁର ଅତିରିକ୍ତ ଏସପି ଚନ୍ଦ୍ରକାନ୍ତ ଗାଭର୍ନା ଏହି ଘଟଣାକୁ ସୁନିଶ୍ଚିତ କରିବା ସହ କହିଛନ୍ତି ଯେ ସୂଚନା ଅନୁଯାୟୀ ପୁଲିସ ଦଳ ଘଟଣା ସ୍ଥଳକୁ ଯାଇଛନ୍ତି ଏବଂ ପରବର୍ତ୍ତୀ ପ୍ରକ୍ରିୟାରେ ଯାହା ଆବଶ୍ୟକ ତାହା କରାଯିବ।