
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ପୋଲିସକୁ ବଡ଼ ସଫଳତା । ଦୁଇ ଲକ୍ଷ ଇନାମି ଛତିଶଗଡି କ୍ୟାଡ଼ର ମହିଳା ନକ୍ସଲ ଆନ୍ତି ମାଡବି(୨୯) ଓରଫ ଲାକେକୁ ଗିରଫ କରିଛି ମାଲକାନଗିରି ଜିଲ୍ଲା ପୁଲିସ। ମାଲକାନଗିରି ଜିଲ୍ଲା ଏମଭି ୭୯ ଥାନା ଅନ୍ତର୍ଗତ କୁର୍ତ୍ତୀ ଜଙ୍ଗଲରୁ ଗିରଫ ହୋଇଛନ୍ତି ମାଓନେତ୍ରୀ ଲାକେ । ସେ ଦୀର୍ଘ ବର୍ଷ ଧରି ବରିଷ୍ଠ ମାଓ ନେତା ଉଦୟଙ୍କ ସୁରକ୍ଷା ଟିମ୍ ସଦସ୍ୟା ଭାବେ ସକ୍ରୀୟ ଥିଲେ । ମାଓନେତ୍ରୀ ଲାକେଙ୍କ ମୁଣ୍ଡ ଉପରେ ଉଭୟ ଓଡ଼ିଶା ଛତିଶଗଡ ରାଜ୍ୟ ସରକାରଙ୍କ ଦ୍ବାରା ୨ ଲକ୍ଷ ଟଙ୍କା ଲେଖାଁଏ ପୁରସ୍କାର ଘୋଷିତ ଥିଲା। ଲାକେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ତିନି ରାଜ୍ୟରେ ଅନେକ ମାଓ ହିଂସାରେ ଜଡିତ ଥିବାବେଳେ ୧୧ଟି ଏନକାଉଣ୍ଟର ଘଟଣାରେ ମଧ୍ୟ ସାମିଲ ଥିଲେ। ବିଶେଷ କରି ଓଡ଼ିଶାର ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଧିନସ୍ଥ ମାଓଗଡ଼ ତୁଳସି ଓ ଦୁଲଦୁଲି ପାହାଡ଼ରେ ପୋଲିସ ସହିତ ଏନକାଉଣ୍ଟରରେ ସାମିଲ ଥିଲେ।ଛତିଶଗଡ଼ ରାଜ୍ୟର ୫ଟି, ଆନ୍ଧ୍ରପ୍ରଦେଶର ଦୁଇଟି ଏନକାଉଣ୍ଟର ଘଟଣାରେ ସାମିଲ ଥିବା ଦକ୍ଷୀଣ ପିଶ୍ଚିମାଞ୍ଚଳ ଡିଆଇଜି ନିତି ଶେଖର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆଜି ମାଲକାନଗିରି ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗିରଫ ମାଓ ନେତ୍ରୀ ଆନ୍ତି ମାଡିବିକୁ ପ୍ରଦର୍ଶନ କରି ଡିଆଇଜି ନୀତି ଶେଖର ସମସ୍ତ ସୂଚନା ଦେବା ସହ ଖୁବଶୀଘ୍ର ମାଲକାନଗିରି ଜିଲ୍ଲା ମାଓମୁକ୍ତ ହେବ। ବର୍ତ୍ତମାନ ଗୁଇନ୍ଦା ବିଭାଗକୁ ଆକ୍ଟିଭ କରାଯାଇଛି । ଦୁର୍ଗମ ଓ ଗ୍ରାମାଞ୍ଚଳରୁ ସେମାନେ ବିଭିନ୍ନ ପ୍ରକାର ତଥ୍ୟ ସଂଗ୍ରହ କରୁଛନ୍ତି । ଜିଲ୍ଲାର ବିଭିନ୍ନ ମାଓ ପ୍ରବଣ ଅଞ୍ଚଳ ଗୁଡିକରେ ନିୟମିତ ଭାବେ ଜିଲ୍ଲା ପୁଲିସ,ଏସଓଜି, ଡିଭିଏଫ ଏବଂ ବିଏସଏଫ ଯବାନଙ୍କ ଦ୍ୱାରା କୁମ୍ବିଂ ଓ ସର୍ଚ୍ଚ ଅପରେସନ ଜାରି ରହିଛି। ଆନ୍ଧ୍ର ଓ ଛତିଶଗଡ଼ ସୀମାନ୍ତ ସିଲ କରାଯାଇ ବ୍ୟାପକ ଭାବେ ଯାନବାହାନ ଯାଞ୍ଚ ଓ ତଲାସି ଅଭିଯାନ ଚାଲୁ ରହିଛି ବୋଲି ଡିଆଇଜି କହିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ତପନ ନାରାୟଣ ରଥ, ଏସଡିପିଓ ସଚିନ ପାଟିଲ, ଅତିରିକ୍ତ ଏସପି ରାଜ କିଶୋର ଦାଶ ପ୍ରମୁଖ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।