ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁରରୁ ଏକ ବଡ ଖବର ଆସୁଛି। ଏଠାରେ ଭୈରମଗଡ ଏରିଆ କମିଟି ଏବଂ ଗଙ୍ଗାଲୁର ଏରିଆ କମିଟିର ୨୫ ଇନାମୀ ନକ୍ସଲଙ୍କ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପିତ ସମସ୍ତ ମାଓବାଦୀଙ୍କ ମୁଣ୍ଡ ଉପରେ ୩୭ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ଥିଲା | ଆତ୍ମସମର୍ପଣ ପରେ ନକ୍ସଲମାନେ କହିଛନ୍ତି ଯେ ସରକାରଙ୍କ ଆତ୍ମସମର୍ପଣ-ପୁନର୍ବାସ ନୀତି ଏବଂ ବିଜାପୁର ପୁଲିସର ‘ନିୟଦ ନେଲା ନାର’ ଯୋଜନାରେ ପ୍ରଭାବିତ ହୋଇ ସେମାନେ ଆତ୍ମସମର୍ପଣ ଭଳି ପଦକ୍ଷେପ ନେଇଛନ୍ତି। ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୭୦ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଅନ୍ୟପକ୍ଷରେ, ଭିନ୍ନ ଭିନ୍ନ ମାଓବାଦୀ ହିଂସା ଘଟଣାରେ ସମ୍ପୃକ୍ତ ୩୪୬ ନକ୍ସଲଙ୍କୁ ପୁଲିସ ଗିରଫ କରିଛି।
ଆତ୍ମସମର୍ପିତ ନକ୍ସଲଙ୍କ ମଧ୍ୟରେ ପିଏଲଜିଏର ୮ ଲକ୍ଷ ଲେଖାଏଁ ଇନାମୀ ତିନି ଜଣ , ସେକ୍ସନ ୧୬ର ୩ ଲକ୍ଷ ଇନାମୀ ଡେପୁଟି କମାଣ୍ଡର, ଏଲଓଏସ ଦଳର ସଦସ୍ୟ ତଥା ସିଏନ୍ଏମ୍ ଦଳର ସଭାପତି , ୧ ଲକ୍ଷ ଲେଖାଏଁ ଦୁଇ ମାଓବାଦୀ ସାମିଲ।ଏସପି ବିଜାପୁର ଜିତେନ୍ଦ୍ର ଯାଦବ କହିଛନ୍ତି ଯେ ଆଜି ଏକ ବଡ ଦିନ। ବରିଷ୍ଠ ମାଓବାଦୀଙ୍କ ଦ୍ୱାରା ନିର୍ଯାତନା ଏବଂ ମାନସିକ-ଶାରୀରିକ ନିର୍ଯାତନାରେ ଅତିଷ୍ଠ ହୋଇ ଏହି ନକ୍ସଲମାନେ ସମାଜର ମୁଖ୍ୟ ସ୍ରୋତକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନେ ସମସ୍ତେ ସାଧାରଣ ଜୀବନଯାପନ କରିବାକୁ ଚାହୁଁଛନ୍ତି।ଏହି ମାଓବାଦୀମାନେ ସରକାର ଏବଂ ପୋଲିସର ଯୋଜନା ମାଧ୍ୟମରେ ସେମାନଙ୍କ ଜୀବନ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି।ଏହି ମାଓବାଦୀମାନେ ସିଆରପିଏଫ୍ ଏବଂ ବିଜାପୁର ଜିଲ୍ଲା ପୁଲିସର ମିଳିତ ଅପରେସନରେ ଆତ୍ମସମର୍ପଣ କରିଛନ୍ତି |