ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ଚିନାର ନଦୀ ପୋଲ ;ଚାନ୍ଦା ଆଦାୟ କରି ଅସ୍ଥାୟୀ କାଠ ପୋଲ ନିର୍ମାଣ କଲେ ଗ୍ରାମବାସୀ।

ସମସ୍ୟା ଯେଉଁ ଅଞ୍ଚଳର ହେଉ ନା କାହିଁକି ସରକାର କିମ୍ବା ଜିଲ୍ଲା ପ୍ରଶାସନ ଏଥିପ୍ରତି ଯଦି ଦୃଷ୍ଟି ନ ଦିଅନ୍ତି। ତେବେ ସ୍ବାଧିନତାର ୭୭ ବର୍ଷ ପରେ ମଧ୍ୟ ଲୋକଙ୍କର ସମସ୍ୟା ପାଇଁ ଦାୟୀ କିଏ..? ଲୋକଙ୍କୁ ସୁବିଧା ସୁଯୋଗ ସହ ବିଭିନ୍ନ ସମସ୍ୟାର ସମାଧାନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରାଥମିକ କର୍ତ୍ତବ୍ୟ କିନ୍ତୁ ଏଠାରେ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ଚିନାର ନଦୀରେ ପୋଲ ନିର୍ମାଣ ପାଇଁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ସରକାର କିମ୍ବା ପ୍ରଶାସନ ଦୃଷ୍ଟି ଦେଲେ ନାହିଁ। ଶେଷରେ ଗ୍ରାମବାସୀ ଚାନ୍ଦା ଆଦାୟ କରି ନଦୀ ଉପରେ ଏକ ଅସ୍ଥାୟୀ କାଠ ସେତୁ ନିର୍ମାଣ କରି ଯାତାୟତ କରିବାକୁ ବାଧ୍ୟ ହୋଇଛନ୍ତି।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ କାଙ୍କେର ଜିଲ୍ଲାରେ ଆଜି ମଧ୍ୟ ଦୁର୍ଗମ ଗାଁର ଲୋକମାନେ କାଠ ସେତୁ ନିର୍ମାଣ କରି ନିଜର ରାସ୍ତା ତିଆରି କରିବାକୁ ବାଧ୍ୟ ହେଉଛନ୍ତି। ଏଭଳି ଏକ ଚିତ୍ର ପଡୋଶୀ ରାଜ୍ୟ କାଙ୍କେର ଜିଲ୍ଲା ବାସ୍କୁଣ୍ଡ ପଞ୍ଚାୟତ ଉପର ତୋନକା , ତଳ ତୋନକା ଏବଂ ଚାଲାଚୁର ଗାଁ ବିଷୟରେ କହୁଛୁ, ଯେଉଁଠାରେ ଗ୍ରାମବାସୀ ଦୀର୍ଘ ବର୍ଷ ଧରି ଚିନାର ନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ଦାବି କରିଆସୁଥିଲେ ମଧ୍ୟ ଗ୍ରାମବାସୀଙ୍କ ଏହି ଗୁରୁତର ସମସ୍ୟାର ସମାଧାନ ପାଇଁ ସରକାର , ପ୍ରଶାସନ କିମ୍ବା ଜନ ପ୍ରତିନିଧୀମାନେ ଏପର୍ଯ୍ୟନ୍ତ ଶୁଣି ନାହାଁନ୍ତି।

ଗ୍ରାମବାସୀ କହିଛନ୍ତି ଯେ ଚିନାର ନଦୀ ପାର ହେବା ପରେ ଉପର ତୋନକା, ତଳ ତୋନକା ଏବଂ ଚାଲାଚୁର ଭଳି ୩ ଗାଁର ଗ୍ରାମବାସୀଙ୍କୁ ବର୍ଷା ଦିନେ ନଦୀ ପାର ହେବା ପାଇଁ ପ୍ରତିବର୍ଷ ଏକ କାଠ ସେତୁ ନିର୍ମାଣ କରିବାକୁ ପଡ଼ିଥାଏ।କାଠ ସେତୁ ସାହାଯ୍ୟରେ ଗ୍ରାମବାସୀଙ୍କୁ ଯାତ୍ରା କରିବାକୁ ସୁବିଧା ହୋଇଥାଏ। ଏହି ସେତୁ ନିର୍ମାଣ ପାଇଁ ଗ୍ରାମବାସୀ ନେତା ଓ ଅଧିକାରୀ ମାନଙ୍କୁ ଅନେକ ଥର ଅନୁରୋଧ କରିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ସେତୁ ନିର୍ମାଣ ହୋଇନାହିଁ।

ଗ୍ରାମବାସୀମାନେ ଏକ ଅସ୍ଥାୟୀ କାଠ ସେତୁ ନିର୍ମାଣ କରି ନିଜ ଜୀବନକୁ ବାଜି ଲଗାଇ ଯାତାୟତ କରୁଛନ୍ତି। ଦୁଇ ବର୍ଷ ପୂର୍ବେ ଏହି ଗ୍ରାମଗୁଡିକରେ ପହଞ୍ଚିବା ପାଇଁ ଏକ କଂକ୍ରିଟ୍ ରାସ୍ତା ନିର୍ମାଣ କରାଯାଇଥିଲା, କିନ୍ତୁ ଚିନ୍ନାର ନଦୀ ଉପରେ ଏକ ସେତୁ ନିର୍ମାଣ ହୋଇପାରିଲା ନାହିଁ | ଏଭଳି ପରିସ୍ଥିତିରେ ଗ୍ରାମବାସୀ ଏକତ୍ରିତ ହୋଇ ଚାନ୍ଦା ଆଦାୟ କରିବା ସହ ଶ୍ରମ ଦାନ କରି ଏକ କାଠ ସେତୁ ନିର୍ମାଣ କରିଛନ୍ତି। ଏହି ସେତୁ ନିର୍ମାଣରେ ସ୍କୁଲ ଛାତ୍ରଛାତ୍ରୀ ମାନେ ବର୍ତ୍ତମାନ ଖୁସିରେ ସ୍କୁଲ ଯାଉଛନ୍ତି। ଗ୍ରାମବାସୀ କହିଛନ୍ତି ଯେ ବର୍ତ୍ତମାନ ଉଛୁଳା ନଦୀ ପାର ହେବା ସମୟରେ ଦୁର୍ଘଟଣାର ଭୟ ଶେଷ ହୋଇଛି, କିନ୍ତୁ ଦୁର୍ଘଟଣା କୌଣସି ଚେତାବନୀ ଦେଇ ଆସେନାହିଁ। କାଠ ସେତୁ କେତେ ଦିନ ଚାଲିବ? ଜଣାନାହିଁ ତେବେ ଗ୍ରାମବାସୀମାନେ ବର୍ତ୍ତମାନ ପରିବହନ ପାଇଁ ବାଉଁଶରେ ସେତୁ ନିର୍ମାଣ କରିଛନ୍ତି, କିନ୍ତୁ ଏହି ଚିନାର ନଦୀ ଉପରେ କେବେ ସେତୁ ନିର୍ମାଣ ହେବ ଯାହାର ଅପେକ୍ଷାରେ ଗ୍ରାମବାସୀ ସମ୍ପୂର୍ଣ୍ଣ ଥକି ଯାଇଛନ୍ତି।

  • Related Posts

    Leave a Reply

    Your email address will not be published. Required fields are marked *

    You cannot copy content of this page